Odia News Portal

ବିଏସ୍‍ଏନ୍‍ଏଲ୍‍ ଗ୍ରାହକସେବା କେନ୍ଦ୍ରରୁ ଛୁ ମାରୁଛନ୍ତି କର୍ମଚାରୀ

ଭୁବନେଶ୍ଵର : କରୋନା ଏବେ ବିଏସ୍‍ଏନ୍‍ଏଲ୍‍ କର୍ମଚାରୀଙ୍କ ପାଇଁ ମଉକା ଆଣିଛି । ସଂକ୍ରମଣ ଭୟକୁ ଆଳ କରି ଅଫିସ୍‍ରୁ ଛୁ ମାରୁଛନ୍ତି । ଏଥିଯୋଗୁଁ ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି କର୍ମଚାରୀଙ୍କୁ ଅପେକ୍ଷା କରିବା ସହିତ ହଇରାଣ ହରକତ ହେଉଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବାକୁ କିଏ ଦେଢଘଣ୍ଟା ଯାଉଛି ତ ଆଉ କିଏ ଭିତରପଟୁ କବାଟ କିଳି ବସୁଛି । ରୂପାଲି ଛକରେ ଥିବା ବିଏସ୍‍ଏନ୍‍ଏଲ୍‍ର ଗ୍ରାହକସେବା କେନ୍ଦ୍ରରେ ଏଭଳି ଅବସ୍ଥା ପରିଲକ୍ଷିତ କରାଯାଇଛି । ଏଠାରେ ବୋର୍ଡ ମରାଯାଇଛି ଯେ ଦିନ ୧୦ଟାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରାହକସେବା କେନ୍ଦ୍ର ଖୋଲା ରହିବ । ହେଲେ ଏବେ କରୋନାକୁ ଆଳ କରି ଦିନ ଗୋଟାଏରୁ କର୍ମଚାରୀମାନେ ଛୁ ମାରୁଛନ୍ତି । ଚଉକି ଟେବୁଲ ସବୁ ଫାଙ୍କା । ଏପରିକି ଲୋକଙ୍କୁ ସୂଚନା ଦେବାକୁ ବି ଜଣେ ହେଲେ କାହାର ଦେଖାଦର୍ଶନ ମିଳୁନାହିଁ । ଅପରାହ୍ନ ୩ଟା ନବାଜିଲେ ମଧ୍ୟାହ୍ନ ଭୋଜନ ବିରତି ସରୁନାହିଁ ।

ଯେଉଁମାନେ ଆଗତୁରା ଆସୁଛନ୍ତି ସେମାନେ ମେଳି ହୋଇ ଗୁଲି ଗପ କରୁଛନ୍ତି ପଟେ ଲୋକଙ୍କୁ ସେବା ଯୋଗାଉ ନାହାନ୍ତି । ଜଣଙ୍କ ସଂକ୍ରାନ୍ତରେ ପଚାରିଲେ ଅନ୍ୟ ଜଣଙ୍କ ଉତ୍ତର ହେଉଛି ଖାଇକି ଆସିଲେ କାମ ହେବ । ହେଲେ କେତେବେଳେ କିଏ ଆସିବ କିଏ ଯିବ ତାହାର ଏବେ ଆଉ ଠାକ ଠିକଣା କିଛି ନାହିଁ । ଉପର ମହଲରୁ ବଡ ବାବୁମାନେ ବି ତଳ ମହଲାରେ କିଭଳି କାମ ହେଉଛି ତାହାର ତଦାରଖ କରୁନାହାନ୍ତି । କର୍ମଚାରୀମାନେ ଅଧଘଣ୍ଟା ବଦଳରେ ଏବେ ଦେଢ ରୁ ଦୁଇଘଣ୍ଟା ଖାଇବାରେ ସମୟ ବିତାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଯେ କରୋନା ସମୟରେ ଲୋକଙ୍କୁ ତୁରନ୍ତ ସେବା ପ୍ରଦାନ କରି ବିଦା କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ବିଏସ୍‍ଏନଏଲ୍‍ କର୍ମଚାରୀଙ୍କ ଏଭଳି ମନୋଭାବ ଯୋଗୁଁ ଏବେ ସେଠାରେ ଭିଡ ବଢିବାରେ ଲାଗିଛି । ଘଣ୍ଟା ଘଣ୍ଟା ଧରି ଲୋକେ ଅପେକ୍ଷା କରୁଛନ୍ତି । ଜଣେ ଜଣେ ବାବୁ ତ ଦିନ ୪ଟାରେ ମଧ୍ୟାହ୍ନଭୋଜନ ଖାଇ ଫେରୁଛନ୍ତି । ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ ହେଉଥିବାବେଳେ ସମସ୍ତେ
ଏକା ଥରକେ ଛୁ ମାରୁଥିବାରୁ ବିଏସ୍‍ଏନ୍‍ଏଲ୍‍ର ସବୁଠାରୁ ବଡ
ଗ୍ରାହକସେବା କେନ୍ଦ୍ରରେ ଏବେ ଘୋର ଅବ୍ୟବସ୍ଥା ପରିଲକ୍ଷିତ ହେଉଛି । ଲୋକେ ଯେଭଳି ଘଣ୍ଟା ଘଣ୍ଟା ଧରି ଏଠାରେ ମେଳି ବାନ୍ଧି କର୍ମଚାରୀଙ୍କୁ ଅପେକ୍ଷା କରୁଛନ୍ତି ତାହା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବ ବୋଲି ମତପ୍ରକାଶ ପାଉଛି ।

ସର୍ବଭାରତୀୟ ସ୍ତରରେ ବିଏସ୍‍ଏନ୍‍ଏଲ୍‍ ଅଧୋଗତି ପାଇଁ
କର୍ମଚାରୀମାନଙ୍କ ଏଭଳି ମନୋଭାବ ଦାୟୀ ବୋଲି ଗ୍ରାହକମାନେ ବିରକ୍ତ ହୋଇ ମତବ୍ୟକ୍ତ କରୁଛନ୍ତି । ସରକାରୀ ସଂସ୍ଥା ବୋଲି ମନଇଚ୍ଛା ଖାଇବାକୁ ଯାଉଛନ୍ତି ଓ ଫେରୁଛନ୍ତି । ଘରୋଇ ସଂସ୍ଥାରେ ଚାକିରି କରିଥିଲେ ବାବୁମାନେ କ’ଣ ଏଭଳି କରୁଥାନ୍ତେ କି ବୋଲି ଜଣେ ଗ୍ରାହକ ମତଦେବା ସହିତ ଏଭଳି ସେବା ଜାରି ରହିଲେ ଓଡିଶାରେ ବିଏସ୍‍ଏନ୍‍ଏଲ୍‍ ଦପ୍ତରରେ ତାଲା ଝୁଲିବାକୁ ଅଧିକ ସମୟ ଲାଗିବନାହିଁ ବୋଲି କ୍ଷୋଭର ସହ କହୁଛନ୍ତି ।