Odia News Portal

ଆଜି ଲଘୁଚାପ : ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଆଜି ଉତ୍ତର ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢ଼ିଯିବ । ଆସନ୍ତା ୧୩-୧୪ ତାରିଖ ଯାଏଁ ବର୍ଷା ଲାଗି ରହିବ । ବେଶି ବର୍ଷିର୍ବ ଦକ୍ଷିଣ ଓଡ଼ିଶାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଦକ୍ଷିଣରେ । ଲଗାଣ ବର୍ଷା ଯୋଗୁ ନଦୀ ଫୁଲିବା ସହ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ବେଶି ଘନୀଭୂତ ହେବନି । ହେଲେ ବର୍ଷା ପ୍ରବଳ ହେବ । ଉପକୂଳ ତୁଳନାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି । ରବିବାର ରାତିରୁ ବର୍ଷା ବଢ଼ିପାରେ । ଆସନ୍ତା ୧୨ ତାରିଖ ଯାଏଁ ଅଧିକ ବର୍ଷା କରାଇବ । ଏହା ପରେ ବି ଆହୁରି ଦୁଇଦିନ ବର୍ଷା ହୋଇପାରେ ।

ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାବାଦ୍‌ ନୟାଗଡ଼, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାରେ ପ୍ରାୟ ୩ ଦିନ ଧରି ଲଗାଣ ବର୍ଷା ହୋଇପାରେ । ଏହା ପ୍ରଭାବରେ ବଂଶଧାରା, ଋଷିକୂଲ୍ୟା ଓ ହାତୀ ନଦୀ ଜଳସ୍ତର ବଢ଼ିବା ସହ ବନ୍ୟା ଆଶଙ୍କା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସଙ୍କ କହିବାନୁଯାୟୀ ଆସନ୍ତା ୯ରୁ ୧୧ ତାରିଖ ଯାଏ ଅଧିକ ବର୍ଷା ହେବ । ୧୨ରେ ବର୍ଷା ପରିମାଣ ସାମାନ୍ୟ କମିବ । ଲଘୁଚାପ ହଟିବା ପରେ ବି ମୌସୁମୀ ସକ୍ରିୟ ରହିବା ଯୋଗୁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି ।

ପାଣିପାଗ ବିଭାଗ କହିଛି, ରବିବାରଠାରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ରବିବାର କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ବଲାଙ୍ଗିର, ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ ।

ସୋମବାର ବର୍ଷା ଆହୁରି ବଢ଼ିବ । ଦକ୍ଷିଣର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ରାୟଗଡ଼ା, ବୌଦ୍ଧ, ନୟାଗଡ଼, ଗଜପତି, ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ମଙ୍ଗଳବାର ବି ଏଭଳି ବର୍ଷା ଲାଗି ରହିବ । ବୁଧବାର ବର୍ଷା ପରିମାଣ ସାମାନ୍ୟ କମିବ ।

ସମ୍ଭାବ୍ୟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ସତର୍କ ରହିବାକୁ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ଅନୁସାରେ ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ।