Odia News Portal

ରାଜଧାନୀରେ ବନ୍ଦ ହୋଇପାରେ ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : କରୋନା ଯୋଗୁଁ ଏବେ ରାଜଧାନୀରେ ଅନେକ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ଝୁଲିବା ଏକ ପ୍ରକାର ନିଶ୍ଚିତ ହେଲାଣି । ବିଶେଷକରି ଯେଉଁସବୁ ବ୍ୟବସାୟୀମାନେ ମୋଟା ଅଙ୍କରେ ଘର ଭଡା ନେଇ ବ୍ୟବସାୟ କରୁଥିଲେ କାରବାର ବନ୍ଦ ଯାଗୁଁ ସେମାନଙ୍କର ଏଭଳି ଅବସ୍ଥା ଉପୁଜିଲାଣି । ବାପୁଜୀନଗର, ଶହୀଦନଗର, ମାଷ୍ଟରକ୍ୟାଣ୍ଟିନ ଭଳି ବ୍ୟବସାୟିକ ଇଲାକାରେ ଘରଭଡା ଦେଇନପାରି ଅନେକ ଏବେ ପୁଡା ପୁଟୁଳା ବାନ୍ଧିବାକୁ ସଜବାଜ ହେଲେଣି । ମାର୍ଚ୍ଚ ୨୪ତାରିଖ ପରଠାରୁ ଜନତାକର୍ଫ୍ୟୁ, ଲକ୍‍ ଡାଉନ୍‍, ସଟ୍‍ଡାଉନ୍‍ ଆଦି କଟକଣା ଜାରି ରହିଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରାକରଙ୍କ ପର୍ଯ୍ୟନ୍ତ କରୋନା ରୋକିବାକୁ ସମସ୍ତେ କଟକଣା ଜାରି କରିବାରେ ଲାଗିଛନ୍ତି । ଜିଲ୍ଲା ଓ ପୌର ପ୍ରଶାସନ ହାତକୁ କଟକଣା ଜାରି କ୍ଷମତା ଯିବାପରେ ବ୍ୟବସାୟୀମାନଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡିଛି । ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଡ ପଡିଥିବା ହୋଟେଲ, କପଡା, ବିଦ୍ୟୁତ୍‍ ସରଞ୍ଜାମ ଭଳି କାରବାର କରୁଥିବା ପ୍ରତିଷ୍ଠାନ ଗୁଡିକ ଏବେ ଅତ୍ୟନ୍ତ ଦୁର୍ଦ୍ଦିନରେ ଅଛନ୍ତି ।

କେନ୍ଦ୍ର ସରକାର ଅନ୍‍ଲକ୍‍ ୩ ଘୋଷଣା କରିବାପରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ କାରବାର ବଢିବବୋଲି ଆଶା କରିଥିବାବେଳେ ରାଜଧାନୀ ସମତେ ରାଜ୍ୟର ଅନେକ ଜିଲ୍ଲାରେ ଲକ୍‍ ଡାଉନ୍‍ ଓ ସଟ୍‍ଡାଉନ କଟକଣା ସମେତ ବିଭିନ୍ନ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ ହୋଇଛି । ଫଳରେ ବ୍ୟବସାୟୀମାନେ ଚାହିଁଲେ ବି ହାତଖୋଲି ବେପାର କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଚାଳକ ଓ ହେଲପରଙ୍କ ଅଭାବ ଯୋଗୁଁ ପୂର୍ବଭଳି ଗାଡି ଚଳାଚଳ କରୁନଥିବାରୁ ମନମୁତାବକ ସାମଗ୍ରୀ ବି ଆସିପାରୁନାହିଁ । ସେହିଭଳି ବ୍ୟବସାୟୀମାନେ କାରବାର ହ୍ରାସ ଯୋଗୁଁ ନିଜ ନିଜର କର୍ମଚାରୀ ହ୍ରାସ କରିଛନ୍ତି । ବେତନ ଦେବାରେ ସମସ୍ୟା ଓ ଦୀର୍ଘଦିନ ଧରି କାରବାର ବନ୍ଦ ଯୋଗୁଁ ଏଭଳି ପଦକ୍ଷେପ ନେଇଛନ୍ତି ।

ହେଲେ ଘର ମାଲିକ କିନ୍ତୁ ଘରଭଡା ଛାଡିବାକୁ ରାଜଧାନୀରେ ନାରାଜ। ଯେଉଁମାନେ ମାସେ ଦୁଇମାସ ସହାନୁଭୂତି ଦେଖାଇଥିଲେ ସେମାନେ ବି ଆଉ ଭଡା ଛାଡିବା ଅବସ୍ଥାରେ ନାହାନ୍ତି । ବେଡି ଉପରେ କୋରଡା ଭଳି ଦୋକାନ ଖୋଲୁ ବା ନଖୋଲୁ ବିଜୁଳି ବିଲ୍‍ ଗଣିବାକୁ ପଡୁଛି । ତେଣୁ ଏଭଳି ସ୍ଥିତିରେ ଭଡାରେ କୋଦାନ ଘର ନେଇଥିବା ବ୍ୟବସାୟୀମାନେ ଆଉ ଅଧିକ ଦିନ ବିନା ରୋଜଗାରରେ ଭଡା ଗଣିବା ସ୍ଥିତିରେ ନାହାନ୍ତି । ତେଣୁ ରାଜଧାନୀ ସମେତ ରାଜ୍ୟର ବହୁ ସହରରେ ଏବେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଲାଣି । ଯଦି ସରକାର ଏଭଳି କଟକଣା ଜାରି ରଖୁଛନ୍ତି ତେବେ ବିଜୁଳି ବିଲ୍‍ ସମେତ ଅନ୍ୟାନ୍ୟ ଟିକସ ଉପରେ ରିହାତି ଦେବା ଆବଶ୍ୟକ ବୋଲି ଜଣେ ବ୍ୟବସାୟୀ ମତ ଦେଇଛନ୍ତି । ନହେଲେ ବ୍ୟବସାୟ ବନ୍ଦ ହେବା ସହିତ ଲକ୍ଷ ଲକ୍ଷ ଲୋକ କର୍ମସଂସ୍ଥାନ ହରାଇବା ସହିତ ରାଜ୍ୟ ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ ବୋଲି ମତପ୍ରକାଶ ପାଉଛି ।