ଭୁବନେଶ୍ୱର : ସରକାରୀ ବିଦ୍ୟୁତ୍ ଯୋଗାଣ ସଂସ୍ଥା ସେସୁକୁ ରାଜ୍ୟ ସରକାର ଟାଟା ହାତରେ ଟେକିଦେବା ପରେ ଗ୍ରାହକଙ୍କ
ହଟହଟା କମିବା ବଦଳରେ ବଢିବାରେ ଲାଗିଛନ୍ତି । ଗ୍ରାହକମାନେ କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ କୌଣସି ଗ୍ରାମାଞ୍ଚଳକୁ ଯିବାକୁ ପଡିବନାହିଁ, ରାଜଧାନୀର ବିଜୁଳି ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଏହା ଜଳ ଜଳ ହୋଇ ଦିଶୁଛି । ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ଯୋଗାଣର ପ୍ରତିଶ୍ରୁତି ଦେଇଥିବା ସହରରେ ବିଜୁଳି କେତେବେଳେ ଯାଉଛି କେତେବେଳେ ଆସୁଛି ତାହା ଅନେକଙ୍କ ଜାଣତର ବାହାରେ । ଏଭଳି ଅବସ୍ଥା ଦେଖି ଟାଟା ବିଜୁଳି ଏବେ ଖାଉଟିଙ୍କୁ ଟା ଟା କରୁଥିବା ନେଇ ବ୍ୟଙ୍ଗ କଲେ ଗ୍ରାହକ ।
ଗତ କିଛିଦିନ ହେଲା ରାଜଧାନୀରେ ଘନ ଘନ ବିଜୁଳିକାଟର ଯନ୍ତ୍ରଣା ଚରମ ସୀମାରେ ପହଞ୍ଚିଛି । ବିଜୁଳି ବିଭାଗ ଏହାର ସମାଧାନ କରିବା ବଦଳରେ ଏକ ପ୍ରକାର ହାତଟେକି ଦେଲାଣି । ଯାହାକୁ ଅଭିଯୋଗ କଲେ ସମାନ ଉତ୍ତର – କାମ ଚାଲିଛି ଶୀଘ୍ର ଆସିଯିବ । ହେଲେ ଯେଉଁ ଅଞ୍ଚଳରେ ବିଜୁଳି ଯାଉଛି ଘଣ୍ଟା ଘଣ୍ଟା ଧରି ଆଉ ଦେଖା ଦେଉନାହିଁ । ଲୋକସେବାଭବନ, ରାଜଭବନ, ରାଜୀବଭବନ, ଖାରବେଳଭବନ, ବିଧାନସଭା ଆଦି ଭିଭିଆଇପି ଅଞ୍ଚଳବାସୀ ବି ବିଦ୍ୟୁତ୍କାଟରୁ ବର୍ତ୍ତୁ ନାହାନ୍ତି । ଅନ୍ୟ ଅଞ୍ଚଳରେ ଟାଟା କର୍ତ୍ତୃପକ୍ଷ କିଭଳି ବିଜୁଳି ଯୋଗାଉଥିବେ ତାହା ସହଜରେ ଅନୁମେୟ । ତେବେ ସୁବଠାରୁ ବଡ କଥା ହେଉଛି ଟାଟା ଭଳି ସ୍ୱନାମଧନ୍ୟ ସଂସ୍ଥା ହାତକୁ ବିଜୁଳି ବଣ୍ଟନ ବ୍ୟବସ୍ଥା ଯିବାପରେ ସମସ୍ତେ ଭାବିଥିଲେ ବ୍ୟବସ୍ଥାରେ ଉନ୍ନତି ଆସିବ । ହେଲେ ଉନ୍ନତି ଆସିଛି କେବଳ ବିଲ୍ ଆଦାୟ କ୍ଷେତ୍ରରେ । ପୂର୍ବରୁ ହିତାଧିକାରୀଙ୍କୁ ବିଲ୍ ପ୍ରଦାନ ପାଇଁ ୧୫ଦିନ ମହଲତ ମିଳୁଥିବାବେଳେ ଟାଟା ଆସିବାପରେ ତୋହା ୭ଦିନ ହୋଇଛି ।
ଏଥି ସହିତ ବିଲ୍ ଆଦାୟର ତାଲିଖକୁ ପ୍ରାୟ ଅଧିକାଂଶ ସ୍ଥାନରେ ବଦଳାଯାଇଛି । ଲୋକେ କିଭଳି ଶୀଘ୍ର ପଇସା ଦେବେ ସେଥିପାଇଁ ଟାଟା କର୍ତ୍ତୃପକ୍ଷ ତତ୍ପର । ଏପରିକି ଅନ୍ଲାଇନ୍ରେ ଅର୍ଥ ପଇଠ କରୁଥିବା ଗ୍ରାହକଙ୍କ ପାଇଁ ପୁରସ୍କାର ଯୋଜନା ବି କମ୍ପାନୀ କରିଛି । ଅର୍ଥ ଆଦାୟକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ଟାଟା କର୍ତ୍ତୃପକ୍ଷ କର୍ମଚାରୀ ବୃଦ୍ଧିର ନାଁ ଧରୁନାହାନ୍ତି । ଫଳରେ ପୂର୍ବରୁ ଯେତିକି କର୍ମଚାରୀ ଥିଲେ ଏବେ ସେତିକି କିମ୍ବା ତାହାଠାରୁ କିଛି କମିଗଲେଣି । ଅବସ୍ଥା ଏଭଳି ହୋଇଛି ଯେ ରାଜଧାନୀର ଅଧିକାଂଶ ଅଞ୍ଚଳରେ ୫ହଜାର ଉପଭୋକ୍ତାଙ୍କ ପାଇଁ ୩ସିଫ୍ଟରେ ୧୦ଜଣ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଠିକା କର୍ମଚାରୀ । ତେଣୁ ବିଜୁଳି ଯୋଗାଣ ବ୍ୟବସ୍ଥାରେ କିଭଳି ଉନ୍ନତି ଆସିବ ବୋଲି କର୍ମଚାରୀମାନେ ଓଲଟା ପ୍ରଶ୍ନ କରୁଛନ୍ତି । ଅନ୍ୟ ପକ୍ଷରେ ସହରରେ ବିଜୁଳି ଚୋରିକୁ ଧରିବାପାଇଁ ଟାଟା କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି ।
ତେବେ ରାଜଧାନୀର ଗଳିକନ୍ଦିରେ ଗଢି ଉଠିଥିବା ମାଳ ମାଳ ବେଆଇନ୍ ବସ୍ତିରେ ଯେଭଳି ଚୋରାରେ ବିଜୁଳି ଜଳୁଛି ଓ ମାସକୁ ନାମମାତ୍ର ଦରରେ ନିଜକୁ ଗରିବ ଦର୍ଶାଇ ଲୋକେ ବିଜୁଳି ଜାଳୁଛନ୍ତି ତାହାକୁ କମ୍ପାନୀ କର୍ତ୍ତୃପକ୍ଷ କେତେଦୂର ରୋକିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । କାରଣ ଏହି ଚୋରା ବ୍ୟବହାରକାରୀଙ୍କ ଯୋଗୁଁ ବାସ୍ତବ ହିତାଧିକାରୀମାନେ ଗୁଣାତ୍ମକ ବିଜୁଳି ପାଇବାରୁ ବଞ୍ଚିତ ହେଉଛନ୍ତି ା ତେବେ ବିଜୁଳି ଚୋରଙ୍କୁ ଧରିବା ପୂର୍ବରୁ ବିଜୁଳି କାଟ୍ ରୋକିବାକୁ ଏବେ ସାଧାରଣରେ ମତ ପ୍ରକାଶ ପାଉଛି ।