ସମ୍ବଲପୁର : ମହାମାରୀ କରୋନା ଗୋଟିଏ ଦିନରେ ସମ୍ବଲପୁର କୋଭିଡ୍ ହସପିଟାଲରେ ୨ଟି ମୁଣ୍ଡ ଗଡ଼ାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଏହି ରୋଗ ପ୍ରଥମ କରି ରାଜ୍ୟରେ ଜଣେ ଡାକ୍ତରଙ୍କ ଜୀବନ ନେଇଛି । ହୀରାକୁଦର ଇଏସ୍ଆଇ ଡାକ୍ତରଖାନାର କାର୍ଯ୍ୟରତ ଚିକିତ୍ସାଧିକାରୀ କୁଳମଣୀ ସୁନାଙ୍କ କରୋନାରେ ମୃତ୍ୟୁ ଘଟିଛି । ଏ ନେଇ ଉଭୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋନପୁର ଜିଲ୍ଲାର ଜଣେ ଯୁବକ ଆକ୍ରାନ୍ତ ହୋଇ ସମ୍ବଲପୁର କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ହୀରାକୁଦ ଇଏସ୍ଆଇ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର କୁଳମଣୀ ସୁନାଙ୍କ ନିଜ ଘର ସମ୍ବଲପୁର ସହରର ସନପଡ଼ାର। ପଡ଼ାରେ ଏହି ମହାମାରୀ ଭୟଙ୍କର ଭାବେ ବ୍ୟାପିଛି । ସଂକ୍ରମିତଙ୍କ ସଂଖ୍ୟା ତ୍ରିଶତକ ପାଖାପାଖି ପହଞ୍ଚିସାରିଛି । ସପ୍ତାହେ ତଳେ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ତାଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସ୍ୱାସ୍ଥ୍ୟ ବିଭାଗ ଶ୍ୱାସରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲା ।
ଏଭଳି ସ୍ଥିତିରେ ଗତ ମାସ ଶେଷ ଆଡ଼କୁ ଡାକ୍ତର କୁଳମଣୀ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ତାଙ୍କ ସ୍ୱାବ୍ ପରୀକ୍ଷା ପରେ ସେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତାଙ୍କୁ ଚଳିତ ମାସ ୨ ତାରିଖରୁ ସମ୍ବଲପୁର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶଶୀଭୂଷଣ ପଟେଲ ଏବଂ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଡାକ୍ତର କୁଳମଣୀ କିଡ୍ନି ରୋଗରେ ବି ଶିକାର ହୋଇଥିବା ନେଇ ଡାକ୍ତର ପଟେଲ ସୂଚନା ଦେଇଛନ୍ତି । ତେବେ, ତାଙ୍କ ମୃତ୍ୟୁ ରାଜ୍ୟରେ କରୋନା ଜନିତ ପ୍ରଥମ ଡାକ୍ତର ମୃତ୍ୟୁ ବୋଲି କୁହାଯାଉଛି । ଡାକ୍ତର କୁଳମଣୀ ଚାରି ଭାଇଙ୍କ ମଧ୍ୟରୁ ବଡ ଥିବା ବେଳେ ତାଙ୍କର ୨ଟି ଶିଶୁପୁତ୍ର ଅଛନ୍ତି । ମା’ଙ୍କର ସପ୍ତାହ ତଳେ ମୃତ୍ୟୁ ହୋଇଥିବା ବେଳେ ବାପା ଅବସରପ୍ରାପ୍ତ ବିଦ୍ୟୁତ୍ ବିଭାଗ କର୍ମଚାରୀ ବାର୍ଦ୍ଧକ୍ୟରେ ଉପନୀତ।
ସେହିପରି ବୁର୍ଲା ମେଡିକାଲକୁ କିଛିଦିନ ତଳେ ଚିକିତ୍ସା ପାଇଁ ଆସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୋନପୁର ଜିଲ୍ଲାର ବିନିକା ବ୍ଲକର ଶଙ୍କରା ଗାଁର କଙ୍କ ତରିଆ(୪୫)ଙ୍କ ସମ୍ବଲପୁର କୋଭିଡ୍ ହସପିଟାଲରେ ମୃତ୍ୟୁ ହୋଇଥିବା ନେଇ ଆମ ପ୍ରତିନିଧିଙ୍କୁ ବିନିକା ଏବିଡିଓ ନିରଞ୍ଜନ ନାଏକ ସୂଚନା ଦେଇଛନ୍ତି । ତେବେ, ଉଭୟ ମରଶରୀରକୁ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ସମ୍ବଲପୁରସ୍ଥିତ ରାଜଘାଟରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ସିଡିଏମ୍ଓ ଡାକ୍ତର ଶଶୀଭୂଷଣ ପଟେଲ ସୂଚନା ଦେଇଛନ୍ତି ।