Odia News Portal

ଆଜି କୃଷ୍ଣବଳରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣବଳରାମ ବେଶ ଅନୁଷ୍ଠିତ ହେବ । ୪ ଦିନ ଧରି ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଶେଷ ଦିନ । ପରମ୍ପରା ଅନୁଯାୟୀ ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଏହି କୃଷ୍ଣ ବଳରାମ ବେଶରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଜ୍ଜିତ କରାଯାଇଥାଏ । ଜଗନ୍ନାଥ କୃଷ୍ଣ, ବଳଭଦ୍ର ବଳରାମ ଓ ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଆୟୁଧ ସହ ପଦ୍ମାସନରେ ବିରାଜମାନ କରିଥାନ୍ତି।

କୃଷ୍ଣ ଓ ବଳରାମ ବେଶ କରାଯାଇ ମହାପ୍ରଭୁଙ୍କ ସଂଧ୍ୟାଧୂପ ଅନୁଷ୍ଠିତ ହୁଏ ଓ ପରେ ସାହାଣମେଲା ବା ସର୍ବସାଧାରଣ ଦର୍ଶନ ହୋବାର ପରମ୍ପରା ରହିଛି। ଆଜି ଏଥିପାଇଁ ଭୋରରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଶେଷ ହେବାପରେ ଅନ୍ୟାନ୍ୟ ନୀତି ପାଇଁ ପ୍ରସ୍ତୁତି ଜାରି ରହିଛି। ତେବେ କରୋନା କଟକଣା ଯୋଗୁ ଭକ୍ତମାନେ ଶ୍ରୀମନ୍ଦିରରେ ଏହି ବେଶ ଦର୍ଶନ କରିପାରିବେ ନାହିଁ । କିନ୍ତୁ ମହାପ୍ରଭୁଙ୍କ ସମସ୍ତ ନୀତି ଠିକ୍‌ ସମୟରେ ଅନୁଷ୍ଠିତ ହେବ ।