ଭୁବନେଶ୍ୱର : ଲୋକସେବାଭବନରେ କାର୍ଯ୍ୟଦକ୍ଷତା ବୃଦ୍ଧି, ସ୍ୱଚ୍ଛତା ଅବଲମ୍ବନ ପାଇଁ ୨୦୧୭ ବର୍ଷରେ ଯେଉଁ ବଦଳି ନୀତି ପ୍ରଣୟନ କରାଗଲା ତାକୁ ସାଧାରଣରେ ପାଳନ କରାଗଲା ନାହିଁ, ଏବେ ପଦୋନ୍ନତି କାଳରେ ମଧ୍ୟ ପାଳନ କରାନଯିବା ଦୃଷ୍ଟିକୁ ଆସିଛି । ସରକାର ନିଜେ ନିୟମ କରି ତାହାକୁ ଯେଭଳି ନିଜେ ଭାଙ୍ଗୁଛନ୍ତି ତାହା ଏବେ ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବାଭବନରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ୨୦୧୭ ମସିହାରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଗୃହ ବିଭାଗର ସଚିବ ଥିବାବେଳେ ସଚିବାଳୟ ସେବାର ଅଧବକାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସାଙ୍ଗକୁ ସଚିବାଳୟ ପ୍ରଶାସନରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟ ନେଇ ନିଜେ ଏକ ନୀତି ପ୍ରଣୟନ କଲେ । ସେତେବେଳକୁ ଯେତେସବୁ ଅନ୍ୟ ନିୟମ ଥିଲା ସେସବୁକୁ ଉଚ୍ଛେଦ କରିଦେଲେ । ଏପରିକି ରାଜ୍ୟର ଅନ୍ୟ ବର୍ଗର କର୍ମଚାରୀଙ୍କ ପାଇଁ ଯେଉଁ ବଦଳି ନୀତି ରହିଛି, ତାହା ମଧ୍ୟ ଏମାନଙ୍କ ପାଇଁ ଲାଗୁ ହେବନାହିଁ ବୋଲି କୁହାଗଲା ।
କିନ୍ତୁ ଗୋଟିଏ ଥର ଏ ନୀତି ଲାଗୁ ହୋଇ କର୍ମଚାରୀଙ୍କ ବଦଳିପରେ ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଆଉ ପାଳନ କରାଯାଉ ନାହିଁ । କେବଳ ସେତିକି ନୁହେଁ, ବହୁ ପୂର୍ବରୁ ପଦୋନ୍ନତି କାଳରେ ବିଭାଗ ବଦଳିର ଯେଉଁ ନିୟମ ଥିଲା ତାହା ମଧ୍ୟ ଆଜି ପାଳନ ହେଉନାହିଁ । ନା ୧୦ବର୍ଷିଆ ବଦଳି କରାଯାଉଛି, ନା ୧୦ବର୍ଷରୁ ଅଧିକ କାଳ ଗୋଟିଏ ବିଭାଗରେ ଥିବା କର୍ମଚାରୀଙ୍କୁ ପଦୋନ୍ନତି କାଳରେ ବଦଳି କରାଯାଉଛି । ଏପରି ଘଟଣା ମଧ୍ୟ ଦୃଷ୍ଟିକୁ ଆସିଛି ଯେ କେତେକ କର୍ମଚାରୀ ଅନ୍ୟ ବିଭାକୁ ବଦଳି ହେଲାପରେ ମଧ୍ୟ ପୁନର୍ବାର ପୂର୍ବ ବିଭାଗକୁ ଫେରି ଆସିଛନ୍ତି । ଏ କ୍ଷେତ୍ରରେ ୩ବର୍ଷିଆ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏ ସବୁ ବ୍ୟତିକ୍ରମ ନିଜେ ଗୃହ ବିଭାଗ କରୁଛି ।
ଲୋକସେବାଭବନର ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା ବିଭାଗ, ନଗର ଉନ୍ନୟନ, ଗୃହ ବିଭାଗର କର୍ମଚାରୀଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମର ନଜିର ଅଧିକ ରହିଛି । ଗୃହ ବିଭାଗରେ ମଧ୍ୟ ୧୦ବର୍ଷରୁ ଅଧିକ କାଳ କାର୍ଯ୍ୟ କରିଥିବା କର୍ମଚାରୀ ରହିଛନ୍ତି । ସେମାନଙ୍କ ବଦଳିକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ନିକଟରେ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି କାଳରେ ଯେଉଁମାନଙ୍କୁ ୧୦ବର୍ଷିଆ ନିୟମ ଆଧାରରେ ଅନ୍ୟ ବିଭାଗକୁ ବଦଳି କରାଯାଇଛି ସେମାନଙ୍କର ବଦଳିକୁ ଗୃହ ବିଭାଗ ମସୁଧା ଚଳାଇଥିବା ଆଲୋଚନା ହେଉଛି ।
ଗୃହ ବିଭାଗର ଏଭଳି କାମ ପାଇଁ ଲୋକସେବା ଭବନରେ ସ୍ୱଚ୍ଛତା ବାଟବଣା ହେଉଥିବା କିଛି ବରିଷ୍ଠ କର୍ମଚାରୀ କହୁଛନ୍ତି । କେତେକ ବିଭାଗରେ ଜଣେ ଜଣେ କର୍ମଚରୀ ୨୦ବର୍ଷ ଧରି ଥିଲେ ହେଁ ତାଙ୍କୁ ବଦଳି କରାଯାଉନାହିଁ । ସଚିବାଳୟ ସେବାରେ ବଦଳି ବୋଲି କିଛି ନାହିଁ ବୋଲି କିଛି କର୍ମଚାରୀ କହି ବୁଲୁଛନ୍ତି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ବଦଳି କରିବାକୁ ବିଧାନସଭାକୁ ପ୍ରତିଶ୍ରୁତି ବାରମ୍ବାର ଦେଉଥିବାବେଳେ ବାବୁମାନେ କିନ୍ତୁ ତାହାକୁ ଟାଳି ଦେଉଥିବା ଲକ୍ଷ୍ୟ କରାଯାଉଛି ।