ବଳଙ୍ଗା : ପୁତୁରା ଦ୍ୱାରା ଖୁଡ଼ି ୬ବର୍ଷ ଧରି ବଳାତ୍କାରର ଶିକାର ହେବା ମାମଲାରେ ଆଜି ବଳଙ୍ଗା ପୁଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଅଭିଯୁକ୍ତର ଜାମିନ ଆବେଦନ ନାମଂଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ତେବେ ଅଭିଯୋଗକାରୀ ଖୁଡ଼ି ତଦନ୍ତରେ ପୁଲିସକୁ ସହଯୋଗ କରୁନଥିବାରୁ ତାଙ୍କର ବୟାନ ରେକର୍ଡ କରାଯାଇନଥିବା ବେଳେ ଡାକ୍ତରୀ ମାଇନା ମଧ୍ୟ ହୋଇ ପାରିନଥିବା ପୁଲିସ କହିଛି । ସେହିଭଳି ଅଭିଯୁକ୍ତ ଯୁବକ ନିଜକୁ ନିର୍ଦ୍ଦୋଷ କହିବା ସହ ଖୁଡ଼ି ତାକୁ ଫସାଇ ଦେଇଥିବା କହିଛି । ଘଟଣାରୁ ପ୍ରକାଶ ଯେ, ବଳଙ୍ଗା ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସ୍ୱାମୀ ଦୀର୍ଘ ୮ବର୍ଷ ହେବ ନିଖୋଜ ହୋଇ ଯାଇଥିବା ବେଳେ ସେ ତାଙ୍କର ଏକମାତ୍ର ପୁଅ ଏବଂ ଝିଅ ସହ ଶାଶୂଘରେ ରହୁଛନ୍ତି ।
ମହିଳା ଜଣକ ଏକୁଟିଆ ଥିବାର ସୁଯୋଗ ନେଇ ଦୀର୍ଘ ୬ବର୍ଷ ହେବ ତାଙ୍କ ଦେଢ଼ଶୁରଙ୍କ ପୁଅ ସୁଶାନ୍ତ ନାୟକ (୨୮) ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଏପରିକି ତାଙ୍କର ସମସ୍ତ ବ୍ୟାଙ୍କ ବାଲାନ୍ସକୁ ମଧ୍ୟ ସୁଶାନ୍ତ ନିଜ ନାମରେ ଟ୍ରାନ୍ସଫର କରିଦେବାକୁ ମଧ୍ୟ ଖୁଡ଼ିଙ୍କୁ ଧମକ ଦେଉଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ବଳଙ୍ଗା ପୁଲିସ ଅଭିଯୁକ୍ତ ସୁଶାନ୍ତକୁ ଥାନାକୁ ଡାକି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ନେଇ ପୀଡ଼ିତା ପୁରୀ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ବଳଙ୍ଗା ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରି ରବିବାର ଡାକ୍ତରୀ ମାଇନା କରିଥିଲା । ଏହା ପରେ ଆଜି ତା’ର କୋଭିଡ ପରୀକ୍ଷା କରାଯାଇ ନିମାପଡ଼ା କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତା’ର ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ତାକୁ ନିମାପଡ଼ା ଉପକାରାଗାରକୁ ପଠାଯାଇଛି ।