ଭୁବନେଶ୍ୱର : ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବାପରେ ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା ଖୋଦ ରାଜଧାନୀରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି । ଗତବର୍ଷ ତୁଳନାରେ ପାଶ୍ ହାର ବଢିଥିବାରୁ ବିଭାଗୀୟ ମନ୍ତ୍ରୀ ଖୁସିବ୍ୟକ୍ତ କରିଥିବାବେଳେ ରାଜଧାନୀର ସରକାରୀ ବିଦ୍ୟାଳୟ ଗୁଡିକର ପ୍ରଦର୍ଶନ ସଂକ୍ରାନ୍ତରେ ମୁହଁ ଖୋଲି ନାହାନ୍ତି କି ଏହାର ସମୀକ୍ଷା କଥା ଉଠାଇ ନାହାନ୍ତି । ରାଜଧାନୀରେ ଥିବା ପ୍ରାୟ ସମସ୍ତ ପୁରାତନ ହାଇସ୍କୁଲରେ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି । କାଁ ଭାଁ ଛାତ୍ରଛାତ୍ରୀ ଏ ୱାନ ସ୍ଥାନରେ ରହିଛନ୍ତି । ସେହିଭଳି ଏ ଟୁ ସ୍ଥାନରେ ବି ହାତଗଣତି ସ୍ଥାନ ହାସଲ କରିଛନ୍ତି । ସଂଖ୍ୟାଧିକ ଛାତ୍ରଛାତ୍ରୀ ଜଷ୍ଟ ପାଶ୍ କରିଛନ୍ତି ।
ପ୍ରାୟ ସମସ୍ତ ବିଷୟରେ ପାଶ୍ ନମ୍ବର ରଖି ଅଧିକାଂଶ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷ ପାଶ୍ ପିଲାଙ୍କ ତାଲିକା ଦେଖାଉଥିବାବେଳେ ଘରୋଇ ବିଦ୍ୟାଳୟ ପ୍ରଦର୍ଶନ ତୁଳନାରେ କିନ୍ତୁ ସେମାନେ ଢେର ପଛରେ ପଡିଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ କିନ୍ତୁ ନିରବ । ସବୁଠାରୁ ବଡ କଥା ହେଉଛି ରାଜଧାନୀର ସରକାରୀ ବିଦ୍ୟାଳୟ ଗୁଡିକରେ ଉନ୍ନତମାନର ଭିତ୍ତିଭୂମି ସହିତ ଆବଶ୍ୟକ ସଂଖ୍ୟକ ତାଲିମପ୍ରାପ୍ତ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଏମାନଙ୍କର ଦରମା ବି ମୋଟା ଅଙ୍କର । ଅଧିକାଂଶଙ୍କୁ ସରକାର ବିଦ୍ୟାଳୟ ଆଖପାଖରେ ସରକାରୀ କ୍ୱାଟର୍ସ ଯୋଗାଇ ଦେଇଛନ୍ତି । ଏତେ ସବୁ ସୁବିଧା ପରେ ବି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହେଉଛି । ଏ ସଂକ୍ରାନ୍ତରେ କିଛି ଅଭିଭାବକଙ୍କ କହିବାକଥା ଯେ ରାଜଧାନୀର ପ୍ରାୟ ସମସ୍ତ ସରକାରୀ ହାଇସ୍କୁଲରେ ଜଣେ ଜଣେ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘଦିନ ହେଲା ଆସ୍ଥାନ ଜମାଇ ଅଛନ୍ତି । ଏମାନଙ୍କର କେବେ ବଦଳି ହେଉନାହିଁ । ଏଥିଯୋଗୁଁ ପାଠପଢାରୋ ଆଦୌ ଏମାନେ ଧ୍ୟାନ ଦେଉନାହାନ୍ତି । କୌଣସି ପ୍ରକାରେ ହାଜିରା ପକାଇ ମାସକୁ ମାସକୁ ମୋଟା ଅଙ୍କର ବେତନ ଗଣି ନେଉଛନ୍ତି ।
ହେଲେ ଅନୁରୂପ ଭାବେ ପାଠପଢା ଉପରେ ଧ୍ୟାନ ଦେଉନାହାନ୍ତି । ରାଜଧାନୀରେ ଥିବା ବିଇଓ କିମ୍ବା ଡିଇଓମାନେ ମଧ୍ୟ ଏହି ଶିକ୍ଷକମାନଙ୍କୁ ତାଗିଦା କରୁନାହାନ୍ତି । ତେଣୁ ସରକାରୀ ହାଇସ୍କୁଲରେ ଏକ ପ୍ରକାର ଅରାଜକତା । ଘରୋଇ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବ ସାଙ୍ଗକୁ ସ୍ୱଳ୍ପ ବେତନରେ ଶିକ୍ଷକମାନେ ପାଠ ପଢାଇ ଭଲ ଫଳ କରୁଥିବାବେଳେ ସରକାରୀ ହାଇସ୍କୁଲରେ ପରୀକ୍ଷାଫଳ କାହିଁକି ନୈରାଶ୍ୟଜନକ ହେଉଛି ସେ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ, ସଚିବ କିମ୍ବା କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି । ଏବେ କରୋନା ଆଳ ଦେଖାଇ ରାଜଧାନୀରେ ସରକାରୀ ହାଇସ୍କୁଲର ଶିକ୍ଷକମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟ ମାଟି ମାଡୁନଥିବାବେଳେ ପିଲାଙ୍କ ପରୀକ୍ଷାଫଳ ନେଇ ବି ନିରବ ଅଛନ୍ତି । ତେଣୁ ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ରାଜଧାନୀରେ ଥିବା ସରକାରୀ ହାଇସ୍କୁଲ ଗୁଡିକର ଫଳାଫଳ ସଂକ୍ରାନ୍ତରେ ସମୀକ୍ଷାକରି ଦୀର୍ଘଦିନ ଧରି ଏଠାରେ ଆସ୍ଥାନ ଜମାଇଥିବା ଶିକ୍ଷକମାନଙ୍କୁ ତୁରନ୍ତ ବଦଳି କରିବାପାଇଁ ଦାବି ବଢିବାରେ ଲାଗିଛି ।