Odia News Portal

SCBର ଡେଣ୍ଟାଲ୍‌ ପ୍ରଫେସରଙ୍କ ସମେତ ୭ ଡାକ୍ତର ପଜିଟିଭ୍‌

କଟକ : ଏସ୍‌ସିବି ଡାକ୍ତରଖାନାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବିଶେଷ କରି ଡାକ୍ତର, ସେବିକା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଡାକ୍ତରଖାନା କର୍ମଚାରୀମାନେ କରୋନାରେ ସଂକ୍ରମିତ ହେବା ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏସ୍‌ସିବି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଜଣେ ବରିଷ୍ଠ ପ୍ରଫେସରଙ୍କ ସମେତ ୪ ଜଣ ଡାକ୍ତର ଓ ଏସ୍‌ସିବି ଡାକ୍ତରଖାନାର ଆଉ ୩ ଜଣ ଡାକ୍ତର ଓ ଜଣେ ଅବସରପ୍ରାପ୍ତ କିରାଣିଙ୍କର କରୋନା ପଜିଟିଭ୍‌ ବାହାରିଛନ୍ତି । ସେହିପରି ଏସ୍‌ସିବିରେ ସାନିଟାଇଜ୍‌ କରିବା ପାଇଁ ନିୟୋଜିତ ଘରୋଇ ସଫେଇ ସଂସ୍ଥାର ସୁପରଭାଇଜର୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଉଟ୍‌ଡୋରରୁ ୨ ଜଣ ରୋଗୀଙ୍କର କରୋନା ପଜିଟିଭ୍‌ ବାହାରିଥିବାର ସୂଚନା ମିଳିଛି ।

ଏପରିକି ଏସ୍‌ସିବି କ୍ୟାମ୍ପସରୁ କରୋନା ଯୋଦ୍ଧା, ଘରୋଇ ସଂସ୍ଥା କର୍ମଚାରୀ ଓ ରୋଗୀଙ୍କ ସମେତ ମୋଟ ୭ ଜଣଙ୍କର କରୋନା ପଜିଟିଭ୍‌ ବାହାରିଛି । ସେହିପରି ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ହସ୍ପିଟାଲରୁ ମଧ୍ୟ ୨ ଜଣ କରୋନା ପଜିଟିଭ ବାହାରିଛି । କ୍ୟାନ୍‌ସର୍‌ ଡାକ୍ତରଖାନାରେ ସଂଗୃହୀତ ହୋଇଥିବା ୩୮ ଜଣଙ୍କ ସ୍ୱାବ୍‌ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତରଖାନାରେ ନିୟୋଜିତ ଘରୋଇ ସଂସ୍ଥାର ଟିକେଟ୍‌ କାଉଣ୍ଟର କର୍ମଚାରୀ ଏବଂ ଆଉ ଜଣେ ରୋଗୀଙ୍କର ସମ୍ପର୍କୀୟ ବୋଲି ଜଣାଯାଇଛି । ୨ ଜଣ ଯାକ ଆକ୍ରାନ୍ତଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଏସ୍‌ସିବିରେ ଡାକ୍ତରମାନେ କରୋନା ସଂକ୍ରମିତ ଜନିତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ଏହି ପ୍ରମୁଖ ଡାକ୍ତରଖାନାରେ ପ୍ରତିଦିନ କରୋନା ଯୋଦ୍ଧାମାନେ ସଂକ୍ରମିତ ହେବାରେ ଲାଗିଛନ୍ତି । ଡାକ୍ତରମାନେ ସଂକ୍ରମିତ ହେବା ଦ୍ୱାରା ରୋଗୀଙ୍କ ସ୍ୱାସ୍ଥ୍ୟସେବା ବିଭ୍ରାଟ ହେବାର ଆଶଙ୍କା ରହିଛି । ବିଶେଷକରି ବରିଷ୍ଠ ବିଶେଷଜ୍ଞମାନେ କରୋନାରେ ଆକ୍ରାନ୍ତ ହେବା ଦ୍ୱାରା ଚିନ୍ତା ବଢ଼ିଯାଇଛି । ଡେଣ୍ଟାଲ୍‌ ହସ୍ପିଟାଲରେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି।