Odia News Portal

ଅର୍ଥଲଗାଣକାରୀ ସଂସ୍ଥାର ପଦ ପଦବୀକୁ ନେଇ ଥାନାରେ ମାମଲା

ଭୁବନେଶ୍ୱର : ନିଜ ନିଜର ଟଙ୍କାକୁ ବେନାମୀ ଭାବେ ଅର୍ଥ ଲଗାଣକାରୀ ସଂସ୍ଥା ଜରିଆରେ ଖଟାଇଥିବା ରାଜଧାନୀର କିଛି
ବଡ ବଡିଆଙ୍କ ନିଦ ହଜିଲାଣି । କାରଣ ରାଜଧାନୀରେ ଥିବା ଏହିଭଳି ଗୋଟିଏ ସଂସ୍ଥାରେ ପରିଚାଳନା ନିର୍ଦ୍ଦେଶକ ପଦବୀକୁ
ନେଇ ଥାନାରେ ମାମଲା ରୁଜୁ ହେବାପରେ ସମ୍ପୃକ୍ତ ଅଧିକାରୀଙ୍କ ଜରିଆରେ ଅର୍ଥ ଲଗାଇଥିବା ଲୋକଙ୍କ ପଇସା ବୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଘଟିଛି ଶହୀଦନଗର ଥାନା ଅଞ୍ଚଳରେ । ଏହି ଇଲାକାରେ ଥିବା ଗୋଟିଏ ସଂସ୍ଥା ଆର୍ଥିକ କାରବାର କରିଥାଏ । ବିଶେଷକରି ବଡ ବଡିଆଙ୍କ ବେନାମୀ ସମ୍ପତ୍ତିକୁ ବିଭିନ୍ନ ସ୍ଥାନରେ ଖଟାଇ ଏମାନେ ନିଜ ଦୁଇ ପଇସା ପାଇବା ସହିତ ଟଙ୍କା ଖଟାଇଥିବା ବାବୁଙ୍କୁ ବି ମୂଳ ସହିତ ଲାଭ ଫେରାଇଥାନ୍ତି । ହେଲେ ଉକ୍ତ ସଂସ୍ଥାର ପଦ ପଦବୀକୁ ନେଇ ଏବେ ଥାନାରେ ମାମଲା ରୁଜୁ ହୋଇଛି । ଯେଉଁ ବ୍ୟକ୍ତିଙ୍କୁ ସଂସ୍ଥାରେ ଏମ୍‍ଡି ଭାବେ ଘୋଷଣା କରାଯାଇଥିଲା ସିଏ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କର କୌଣସି ପଦବୀ ନାହିଁ ତେଣୁ ଥାନାରେ ହାଜର ହେଲେ ।

ସମ୍ପୃକ୍ତ ସଂସ୍ଥା ବି ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ମାମଲା କରିଛି । ତେବେ କମ୍ପାନୀର ଏଭଳି ଟଣାଓଟରା ଓ ମାମଲା ରୁଜୁକୁ ନେଇ ସହରର କିଛି ବଡ ବଡିଆ ଏବେ ଘୋର ଚିନ୍ତାରେ
ପଡିଛନ୍ତି । କାରଣ ବିନା କାଗଜପତ୍ରରେ କର୍ମଚାରୀଙ୍କ ସହିତ ସୁସମ୍ପର୍କ ଓ ମୁହଁଚାହାଁ ନୀତିରେ ଏମାନେ କୋଟି କୋଟି
ଟଙ୍କାର ପୁଞ୍ଜି ଖଟାଇଥାନ୍ତି । ମୂଳ ସହିତ ଲାଭ ବି ନେଇଥାନ୍ତି । ହେଲେ ଏବେ ଯେତେବେଳେ କମ୍ପାନୀର ଘୋଷିତ ଏମ୍‍ଡି
ନିଜେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସେତେବେଳେ ତାଙ୍କ ଜରିଆରେ ଖଟାଯାଇଥିବା ଟଙ୍କା ଫେରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ୍‍ ବି ମାପି ଚୁପି ଆଗକୁ ବଢୁଛି । ଅନ୍ୟ ପକ୍ଷରେ ମାମଲାଟି ଥାନାରୁ ଯାଇ କୋର୍ଟରେ ପହଞ୍ଚିଥିବାରୁ ଯଦି ସମ୍ପୃକ୍ତ ସଂସ୍ଥାର କାରବାର ସଂକ୍ରାନ୍ତରେ ବ୍ୟାପକ ଖୋଳତାଡ ହେବ ତେବେ କେବଳ ସଂସ୍ଥାର କର୍ମଚାରୀମାନେ ନିଜ ନିଜ ଭିତରେ ଚାଲିଥିବା ଯୁଦ୍ଧରେ ଘାଇଲା ହେବେନାହିଁ ସେମାନଙ୍କ ମୁହଁକୁ ଚାହିଁ ଲାଭ ପାଇବା ଆଶଙ୍କାରେ ପୁଞ୍ଜି ଖଟାଇଥିବା ବହୁ ବଡ ବଡିଆଙ୍କ ପଇସା ବି ରାତାରାତି ସ୍ୱାହା ହୋଇଯିବାର ଆଶଙ୍କା ଉପୁଜିଲାଣି ।

ତେଣୁ ମାମଲାଟିକୁ କୌଣସି ପ୍ରକାରେ ଚପାଇ ରଫାଦଫା କରିବାକୁ ଏବେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି । ହେଲେ ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଯେଉଁ ସ୍ତରରେ ପହଞ୍ଚିଛି ଓ ଯେଉଁ ମୋଡ ନେଉଛି ତାହା ଆଗାମୀ ଦିନରେ ଅନେକଙ୍କ ଟଙ୍କା ବୁଡାଇବା ସହିତ ସେମାନଙ୍କୁ ଦାଣ୍ଡରେ ବସାଇ ଦେବାର ସମ୍ଭାବନା ଉପୁଜିଲାଣି । ତେଣୁ କେଉଁ ପାଣି କୁଆଡେ ଯାଉଛି ତାହାକୁ ଏବେ ଟଙ୍କା ଲଗାଇଥିବା କିଛି ବ୍ୟକ୍ତି ସର୍ତକତାର
ସହ ଅନୁଧ୍ୟାନ କରୁଛନ୍ତି ।