ଭୁବନେଶ୍ୱର : ବିଜୁ ପଟ୍ଟନାୟକ ସ୍ୱପ୍ନର ଇସ୍ପାତ କାରଖାନା ନୀଳାଚଳ ଇସ୍ପାତକୁ ହାତେଇବା ଦୌଡରେ ଏବେ ଆଗରେ ଅଛନ୍ତି ଜଣେ ବିଜେପି ସାଂସଦ । ସବୁ ପ୍ରସ୍ତୁତି ଯଦି ଠିକ୍ ଠାକ୍ ଚାଲେ ତେବେ ସାଂସଦ ଜଣଙ୍କ ଶାଗ ମାଛ ଦରରେ ଏହି ଇସ୍ପାତ କାରଖାନାକୁ ହାତେଇ ନେବେ ବୋଲି ଜୋରଦାର ଆଲୋଚନା ଚାଲିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ଏହି ବିଜେପି ସାଂସଦ ଜଣଙ୍କ କିଭଳି ନୀଳାଚଳ ଇସ୍ପାତକୁ କରାୟତ କରିବେ ସେଥିପାଇଁ ସବୁ ପ୍ରକାର ଯୋଜନା ହୋଇଛି । ଏହି ରଣନୀତି ସ୍ୱରୂପ ସମସ୍ତ ପ୍ରକାର ସହଯୋଗ ସତ୍ୱେ କାରଖାନା ଚାଲୁନାହିଁ । ଦୀର୍ଘଦିନ ଧରି ବନ୍ଦ ହୋଇପଡିଥିବା କାରଖାନାକୁ ଚଳାଇବାପାଇଁ ବି କେହି ଆନ୍ତରିକତା ଦେଖାଉ ନାହାନ୍ତି । କାରଖାନାର ଅନ୍ୟତମ ଅଂଶଦାର ଥିବା ରାଜ୍ୟ ସରକାର କହିବାପରେ ଓଏମ୍ସି ୧୭୪କୋଟି ଟଙ୍କାର ସହାୟତା ପ୍ରଦାନ ପରେ ବି କାରଖାନା ଚାଲିପାରୁ ନାହିଁ । ଏହି ଟଙ୍କାରେ ବାକିଆ ସୁଝି କର୍ତ୍ତୃପକ୍ଷ ଚୁପ୍ଚାପ୍ ବସିଛନ୍ତି ।
ଏହି ସୂଚନା ଅନୁଯାୟୀ କାରଖାନା ବିକ୍ରି ପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଛି । ତେବେ ଯେତେ ଯେତେ ଅଧିକ ଦିନ କାରଖାନା ବନ୍ଦ ରହିବ ତାହାର ଦାମ୍ ସେହି ପରିମାଣରେ ହ୍ରାସ ପାଇବ । ଏହାର ବଡ ଅଂଶୀଦାର ଥିବା ଓଡିଶା ସରକାର ବି ସେତିକି କ୍ଷତି ସହିବେ । ସେହି ରଣନୀତି ଅନୁଯାୟୀ ଯେତେ ପ୍ରକାର ଉଦ୍ୟମ ହେଲେ ବି କାରଖାନା ଚଳାଯାଇ ପାରୁନାହିଁ । ତେବେ ସବୁଠାରୁ ବଡ କଥା ହେଉଛି କାରଖାନା ପରିସରରେ ଯେତିକି ଇସ୍ପାତ ରହିଛି ତାକୁ ବିକ୍ରି କରିଦେଲେ ବାକିଆ ସୁଝିବା ସହିତ କାରଖାନା ଚାଲିପାରିବ । ହେଲେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଯଦି କାରଖାନା ଥରେ ଚାଲିବ ତେବେ ଏହା ଲାଭ କରିବ ଓ ଏହାର ଅଂଶମୂଲ୍ୟ ବୃଦ୍ଧି ପାଇବ ।ନୀଳାଚଳକୁ ହାତେଇବା ପାଇଁ ସାଂସଦ ଜଣଙ୍କ ଟାକି ଥିବାବେଳେ ତାଙ୍କ ସହିତ ଜଣେ ଖଣି ବ୍ୟବସାୟୀ ଥିବା ଚର୍ଚ୍ଚା ହେଉଛି । ଏହି ଦୁଇ ଜଣଙ୍କ ନଜର ନୀଳାଚଳ ଇସ୍ପାତ କରଖାନା ଅପେକ୍ଷା କାରଖାନାକୁ ମିଳିଥିବା କୋଇଲା ଖଣି ଉପରେ ରହିଛି । ସୁନ୍ଦରଗଡ ଜିଲ୍ଲାରେ ଥିବା ଏହି କୋଇଲା ଖଣିରୁ ଇତି ମଧ୍ୟରେ ଗୋଟିଏ ଟ୍ରକ କୋଇଲା ଖୋଳାଯାଇ ତାହାକୁ ଉତ୍ତୋଳନ ମାନ୍ୟତା ପ୍ରଦାନ କରାଯାଇଛି ।
ଏଠାରେ ହଜାର ହଜାର କୋଟି ଟଙ୍କାର କୋଇଲା ଗଚ୍ଛିତ ରହିଛି । ଯିଏ କାରଖାନାକୁ ହାତେଇବ ତାହା ସାଙ୍ଗରେ କୋଇଲା ଖଣିକୁ ଏକ ପ୍ରକାର ମାଗଣାରେ ପାଇଯିବ । କାରଖାନା ଚାଲୁ କି ନଚାଲୁ କୋଇଲା ବିକି କୋଟି କୋଟି ଟଙ୍କାର ମୁନାଫା ଉଠାଇବ । କେନ୍ଦ୍ର ସରକାର ଯାଜପୁରରେ ଦେଶର ପ୍ରଥମ ଇସ୍ପାତ ହବ୍ ନିର୍ମାଣ କରିବାକୁ ଯାଉଥିବାବେଳେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଖୋଦ୍ ଓଡିଶାର । ନୀଳାଚଳ ଇସ୍ପାତ କାରଖାନାର ବଡ ଅଂଶୀଦାର ଥିବା ଓଡିଶା ସରକାର ଅର୍ଥ ଯୋଗାଇ ଦେଇଛନ୍ତି ।
ଏଭଳି ସ୍ଥିତିରେ କାରଖାନା ନଚାଲିବାରୁ ଏବେ ସମ୍ପୃକ୍ତ ସାଂସଦଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏହି ସାଂସଦ ଜଣଙ୍କ ନୀଳାଚଳକୁ ଅକ୍ତିଆର କରିବେ ତେବେ ବି କାରଖାନା ଚାଲିବାର ନାହିଁ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ନଜର ରହିଛି ନୀଳାଚଳକୁ ମିଳିଥିବା କୋଇଲା ଖଣି ଉପରେ । ଇତି ମଧ୍ୟରେ ନୀଳାଚଳ ଇସ୍ପାତକୁ ଚଳାଇବାପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବହୁ ପଦାଧିକାରୀ ଫେଲ୍ ମାରିଥିବାରୁ ନୀଳାଚଳ ଇସ୍ପାତ ଖୁବ୍ଶୀଘ୍ର ହସ୍ତାନ୍ତର ନେଇ ଆଲୋଚନା ଜୋରି ଧରିଛି ।