Odia News Portal

ଯୋଗାଣ ନିଗମରେ ଠିକା ନିଯୁକ୍ତି ପଛରେ ଗୋଦାମ ପ୍ରୀତି

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁଣି ଥରେ ଠିକା ନିଯୁକ୍ତି ଦେବାପାଇଁ ଓଡିଶା ରାଜ୍ୟ ଯୋଗାଣ ନିଗମ ଆଗ୍ରହ ପ୍ରକାଶ କରିବାପରେ ଏବେ ଏହାକୁ ନେଇ ଗୋଟିଏ ପରେ ଗୋଟିଏ ରୋଚକ ଘଟଣା ପଦାକୁ ଆସିବାରେ ଲାଗିଛି । ଠିକା ନିଯୁକ୍ତିକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେ ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଗମୁ ଡେପୁଟେସନରେ ଆସି ଚଳିତମାସ ଶେଷରେ ଅବସର ନେବାକୁ ଯାଉଥିବା ଅଧିକାରୀଙ୍କୁ ପୁଣିଥରେ ସେଠାରେ ଥଇଥାନ କରିବାପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅହେତୁକ ଆଗ୍ରହ ପ୍ରକାଶ କରିଛି । ସମ୍ପୃକ୍ତ ଅଧିକାରୀ ଜଣଙ୍କ ସିଭିଲ ଯନ୍ତ୍ରୀ ହୋଇଥିବାବେଳେ ଦୀର୍ଘଦିନ ହେଲା ଓଡଶା ଖଣି ନିଗମ (ଓଏମ୍‍ସି)ରୁ ସେ ଡେପୁଟେସନରେ ନିଗମକୁ ଆସିଛନ୍ତି ।

ତେବେ ଅବସର ପୂର୍ବରୁ ସେ ନିଗମକୁ ଫେରିବାକୁ ବାଧ୍ୟ । କାରଣ ସେହିଠାରୁ ହିଁ ସେ ଅବସର ଗ୍ରହଣ କରିବେ । ହେଲେ ଅବସର ପରେ ଯେଭଳି ପୁଣିଥରେ ତାଙ୍କୁ ନିଗମରେ ଠିକା ନିଯୁକ୍ତି ମିଳିବ ସେଥିପାଇଁ ସବୁ ପ୍ରକାର ନକ୍ସା ପ୍ରସ୍ତୁତ ହୋଇଛି । ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଯୋଗାଣ ବିଭାଗକୁ ଯେକୌଣସି ସମୟରେ ପ୍ରକାଶ ପାଇବାର ସମ୍ଭାବନା ଥିବା ଆଲୋଚନା ହେଉଛି । ତେବେ ଏହି ସୂତ୍ରର ସୂଚନା ଅନୁଯାୟୀ ଓଏମ୍‍ସିରୁ ଡେପୁଟେସନରେ ଆସିଥିବା ବାବୁ ଜଣଙ୍କ ହାତରେ ନିଗମର ପିଇଜି ଗୋଦାମ ପରିଚାଳନା ଦାୟିତ୍ୱ ରହିଛି । ରାଜ୍ୟରେ ଏହି ଗୋଦାମ ସଂଖ୍ୟା ୪୦ରୁ ଅଧିକ ରହିଥିବାବଳେ ଏହାର ତଦାରଖ ଦାୟିତ୍ୱ ଡେପୁଟେସନରେ ଆସିଥିବା ସମ୍ପୃକ୍ତ ବାବୁଙ୍କ ହାତରେ ରହିଛି । ଏଥିସହିତ ନୂଆ ଗୋଦାମକୁ ଅନୁମତି ଦାୟିତ୍ୱ ମଧ୍ୟ ତାଙ୍କ ହାତରେ । ନିଗମର କିଛି କର୍ମଚାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଗୋଦାମ ପରିଚାଳନା ଦାୟିତ୍ୱଟି ଅତ୍ୟନ୍ତ ଲାଭ ଦାୟକ । ଏହି ଗୁରୁଦାୟିତ୍ୱ ନେବାପାଇଁ କିଛି କର୍ମଚାରୀ ରାଜି ହୋଇନଥାନ୍ତି । ତେବେ ନିଗମ କର୍ମଚାରୀଙ୍କୁ ଏହି ଦାୟିତ୍ୱ ମିଳିବା ବଦଳରେ ବାହାରୁ ଆସିଥିବା କର୍ମଚାରୀଙ୍କୁ କାହିଁକି ଦୀର୍ଘଦିନ ଧରି ଦିଆଯାଇଛି ତାହା ତଦନ୍ତ ସାପେକ୍ଷ । ସେହିଭଳି ପ୍ରାୟ ଦୁଇ ବର୍ଷ ହେଲା ଏହି ବାବୁ ଜଣଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ଜଣେ ସିଭିଲ ଯନ୍ତ୍ରୀଙ୍କ ହାତରେ ବଣ୍ଟନ ବ୍ୟବସ୍ଥା କେତେଦୂର ସହଜ ଓ ସୁରକ୍ଷିତ ବୋଲି କର୍ମଚାରୀମାନେ ଓଲଟା ପ୍ରଶ୍ନ କରୁଛନ୍ତି ।

ତେବେ ସେ ଯାହା ହେଲେ ବି ଯେହେତୁ ରାଜ୍ୟ ସରକାର କରୋନା ପରିପ୍ରେକ୍ଷୀରେ ଆର୍ଥିକ ସଙ୍କଟ ଯୋଗୁଁ ଅବସରପ୍ରାପ୍ତ
କର୍ମଚାରୀଙ୍କୁ ପୁଣିଥରେ ନିଯୁକ୍ତି ଦେବା ଉପରେ କଟକଣା ଜାରି କରିଛନ୍ତି ତେଣୁ ଓଏମ୍‍ସିର ସମ୍ପୃକ୍ତ ବାବୁଙ୍କୁ ପୁଣିଥରେ ତାଙ୍କ ପୂର୍ବ ପଦବୀରେ ଠିକା ନିଯୁକ୍ତି ଦିଆଯିବା ନେଇ ଖବର ପ୍ରଚାରିତ ହେବାପରେ ଏବେ ଦପ୍ତରରେ ଅସନ୍ତୋଷ ବଢିବାରେ ଲାଗିଛି । ଏ ସଂକ୍ରାନ୍ତରେ କିଛି କର୍ମଚାରୀ ବାବୁଙ୍କ ଅତୀତର କାର୍ଯ୍ୟକଳାପ ସଂକ୍ରାନ୍ତରେ ସୂଚନା ସଂଗ୍ରହ କରି ତାହାକୁ ବିଭାଗୀୟ ମନ୍ତ୍ରୀଙ୍କ ହାତରେ ଦେବାପାଇଁ ପ୍ରସ୍ତୁତ ଚଳାଇଥିବାର ସୂଚନା ମିଳିଛି । ତେବେ ବିଭାଗର ବଡପଣ୍ଡାମାନେ ଯେଭଳି ଡେପୁଟେସନ ଅଧିକାରୀଙ୍କ ଠିକା ନିଯୁକ୍ତି ପାଇଁ ଓକିଲାତି କରୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଆଗାମୀ ଦିନରେ ନିଗମ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷକୁ ଆହୁରି ତେଜିବ ବୋଲି ଆଲୋଚନା ଚାଲିଛି ।