Odia News Portal

ଆଜିଠୁ ‘ସମ୍‌’ରେ କରୋନା ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଏବେ ଦ୍ୱିତୀୟ ପାହାଚ। ଭାରତର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜି ଠାରୁ ସମ୍‌ ହସ୍ପିଟାଲରେ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସ୍ୱେଚ୍ଛାସେବୀମାନଙ୍କୁ କାଉନ୍‌ସେଲିଂ, ସ୍କ୍ରିନିଂ ଓ ଆନୁଷଙ୍ଗିକ ପରୀକ୍ଷା କରାଯାଇଛି । ପ୍ରାୟ ୭୦ରୁ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏ ଟିକା ପରୀକ୍ଷଣ କରାଯିବ।

‘ସମ୍‌’ରେ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଶ୍‌ ସଫଳ ହୋଇଥିଲା । ମାସକ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଚୟନ ସହ ପ୍ରସ୍ତୁତି ସାରିଛନ୍ତି । ପ୍ରଥମ ପର୍ଯ୍ୟାୟର ସଫଳତା ପରେ ‘କୋଭାକ୍ସିନ୍‌’କୁ ନେଇ ନୂଆ ଆଶା ସଂଚାର ହୋଇଥିଲା ବେଳେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଉପରେ ଏବେ ସମସ୍ତଙ୍କ ଆଖି ।

‘କୋଭାକ୍ସିନ୍‌’ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସମ୍‌ ସମେତ ଦେଶର ୧୨ଟି ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌କୁ ଆଇସିଏମ୍‌ଆର ଅନୁମତି ଦେଇଛି। ପ୍ରଥମ ପର୍ଯ୍ୟାୟରୁ ଏ ଟିକା ପରୀକ୍ଷଣ ଉତ୍ସାହଜନକ ଥିଲା । ପ୍ରଥମ ଦଫାରେ ସମଗ୍ର ଦେଶରେ ‘ସମ୍‌ ହସପିଟାଲରେ’ ସର୍ବାଧିକ ୫୦ ଜଣ ସ୍ୱେଛାସେବୀଙ୍କୁ ଟିକା ଦିଆଯାଇଥିଲା। ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ସମସ୍ତ ସ୍ୱେଚ୍ଛାସେବୀ ସୁସ୍ଥ ଅଛନ୍ତି । କାହା ଶରୀରରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନି। ଜ୍ୱର, ମୁଣ୍ଡବ୍ୟଥା କିମ୍ବା ଶରୀରରେ ଯନ୍ତ୍ରଣା ମଧ୍ୟ ଦେଖାଦେଇନି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ କରୋନା ବିରୋଧୀ ଲଢେଇରେ ‘କୋଭାକ୍ସିନ୍‌’ ବଡ଼ ଢ଼ାଲ ଭାବେ ବ୍ୟବହାର ହେବ ବୋଲି ଆଶା କରାଯାଉଛି।

ସମ୍‌ ହସ୍ପିଟାଲ କମ୍ୟୁନିଟି ମେଡିସିନ୍‌ ବିଭାଗର ପ୍ରଫେସର ତଥା ଟିକା ପରୀକ୍ଷଣ ପ୍ରକ୍ରିୟାର ପ୍ରମୁଖ ଇନ୍‌ଭେଷ୍ଟିଗେଟର ଡାକ୍ତର ଇ. ଭେଙ୍କଟ ରାଓ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ସଫଳତା ଆମକୁ ଉତ୍ସାହିତ କରିଛି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଆମକୁ ଅଧିକ ଉତ୍ସାହିତ କରିବ ବୋଲି ବିଶ୍ୱାସ ଅଛି ।

ଉଲ୍ଲେଖଯୋଗ୍ୟ, ଭାରତ ବାୟୋଟେକ୍‌କୁ ଏହି ଟିକା ରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ୍‌ କାଉନସିଲ ଫର ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ମାନବ ପରୀକ୍ଷଣ ନିମନ୍ତେ ନୂଆଦିଲ୍ଲୀ ଏମ୍‌ସ ସମେତ ଦେଶର ୧୨ଟି ଅନୁଷ୍ଠାନକୁ ବାଛିଥିଲା । ଭାରତ ବାୟୋଟେକ୍‌ ଓ ଆଇସିଏମ୍‌ଆର ମିଳିତ ପ୍ରୟାସରେ ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ୍‌’କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଗତ ମାସ ୨୭ରେ ‘ସମ’ରେ ପ୍ରଥମ ମାନବ ପରୀକ୍ଷଣ ହୋଇଥିଲା । ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ୍‌ ହସ୍ପିଟାଲକୁ ଏଥିପାଇଁ ମନୋନୀତ କରାଯାଇଛି, ଯାହାକି ରାଜ୍ୟ ପାଇଁ ଗୌରବର ବିଷୟ ।