Odia News Portal

ବିଏମ୍‌ସିରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଭୁବନେଶ୍ୱର : ବିଏମ୍‌ସିରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ବେହେରା ଆଜି ପ୍ରାଣ ହରାଇଛନ୍ତି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି । ପ୍ରଫୁଲ୍ଲ ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ ଅଫିସରେ ନିୟୋଜିତ ହୋଇଥିଲେ । କରୋନା ଟେଷ୍ଟିଂ ଶିବିର ପରିଚାଳନାଠାରୁ ଆରମ୍ଭ କରି କୋଭିଡ ନିୟମ ପାଳନର ତଦାରଖ ପାଇଁ ଏନ୍‌ଫୋର୍ସମେଣ୍ଟରେ ସେ ସକ୍ରିୟ ଭାବେ କାମ କରୁଥିଲେ ।

ପୂର୍ବରୁ ୧୯୮୪ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ । ସେଠାରେ ସିପାହୀ ଭାବେ ସେବା ଆରମ୍ଭ କରି ସୁବେଦାର ଭାବେ ଅବସର ନେଇଥିଲେ । ଅବସର ପରେ ୨୦୧୫ ମାର୍ଚ୍ଚରେ ବିଡିଏରେ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ଭାବେ ଯୋଗ ଦେଇଥିଲେ । ଅଗଷ୍ଟ ମାସରେ ସେ ବିଏମ୍‌ସିକୁ ଡେପୁଟେସନକୁ ଆସିଥିଲେ । ଗତ ଅଗଷ୍ଟ ୨୨ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ସ୍ଥିତିରେ ସୁଧାର ଆସିନଥିଲା । ଆଜି ସେ ପ୍ରାଣ ହରାଇଥିଲେ । ସତ୍ୟନଗର ମଶାଣୀରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । କରୋନା ଯୋଦ୍ଧା ଭାବେ ପ୍ରାଣ ହରାଇଥିବାରୁ ତାଙ୍କୁ ସହିଦ ମାନ୍ୟତା ଦିଆଯାଇଛି ।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱର୍ଗତଃ ଶ୍ରୀ ବେହେରାଙ୍କ ପତ୍ନୀ ସୌଦାମିନୀ ବେହେରା, ପୁଅ, ଝିଅ ଓ ଭାଇ ରବୀନ୍ଦ୍ର କୁମାର ବେହେରା ଉପସ୍ଥିତ ଥିଲେ । ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ, ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ‘ମୋ ପରିବାର’ ଇନ୍‌ଚାର୍ଜ ରୁଦ୍ରନାରାୟଣ ସାମନ୍ତରାୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।