Odia News Portal

ବେଆଇନ୍‍ ଠିକା ନିଯୁକ୍ତି ଯୋଗୁଁ ମାମଲା ମୁଣ୍ଡାଇଛି ପ୍ରଦୂଷଣ ବୋର୍ଡ

ଭୁବନେଶ୍ୱର : ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଚାଲିଥିବା କ୍ଷମତା କନ୍ଦଳ ଯୋଗୁଁ ଗୋଟିଏ ପରେ ଗୋଟିଏ
ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସବି ।ରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କିଛି ଅଧିକାରୀ ବୋର୍ଡରେ ଠିକା ନିଯୁକ୍ତି ଦେବା ସହିତ ସେହି ଠିକା କର୍ମଚାରୀଙ୍କୁ ନେଇ ସଂଗଠନ କରିଛନ୍ତି । କର୍ତ୍ତୃପକ୍ଷଙ୍କ ଏଭଳି କାରସାଦି ଯୋଗୁଁ ସରକାର ଅଦାଲତରେ ଲଢି ବିପୁଳ ରାଜସ୍ୱ ହରାଇବାରେ ଲାଗିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଖାଲି ପଡିଥିବା ୧୨ଟି ପଦବୀ ପୂରଣ ଲାଗି ୨୦୧୨
ମସିହାରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହି ପଦବୀ ପାଇଁ ସେତେବେଳ ପ୍ରାୟ ୨୫ଜର ଆବେଦନ କରିଥିଲେ । ହେଲେ
କର୍ତ୍ତୃପକ୍ଷ ୧୨ଟି ପଦବୀ ପୂରଣ କରିଥିଲେ । ତେବେ ୨୦୧୩ରେ ବିନା ବିଜ୍ଞାପନରେ ଆଉ ୧୦ଜଣଙ୍କୁ ନିଯୁକ୍ତି ଦେଇଦେଲେ । ଏହି ୧୦ଜଣ ୨୦୧୨ର ଆବେଦନକାରୀ ତାଲିକାରେ ଥିବା କୁହାଗଲା । ସେତେବଳେ ଏହି ଘଟଣା ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବଙ୍କ ଦୃଷ୍ଟିରୁ ଆସିବାପରେ ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ୍‍ ବୋଲି ସେ ଫାଇଲ୍‍ରେ ହାତକାଟି ଲେଖିଦେଲେ । ଏଥି ସହିତ ଠିକା ନିଯୁକ୍ତିକୁ ବୋର୍ଡ ମଞ୍ଜୁର କଲେ ନାହିଁ । ବିନା ବିଜ୍ଞାପନରେ ଚାକିରି ପାଇଥିବା ଏହି ୧୦ଜଣଙ୍କୁ କିଭଳି ରଖାଯିବ ସେଥିପାଇଁ ଏମାନଙ୍କ ନିଯୁକ୍ତି ପଛରେ ଥିବା ଜଣେ ବରିଷ୍ଠ
ଯନ୍ତ୍ରୀ ମୁଣ୍ଡ ଖଟାଇଥିବା ଆଲୋଚନା ହେଉଛି । ଚଞ୍ଚକତା କରି ସମୟ ଗଡାଇବାପାଇଁ ଏହି ୧୦ଜଣଙ୍କୁ କାହିଁକି ଚାକିରିରୁ ବିଦା
କରାନଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ୍‍ ଜାରି ହେଲା ।

ଫଳରେ ଠିକା କର୍ମଚାରୀମାନେ ସମୟ ପାଇବା ସହିତ ବୋର୍ଡ ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହୋଇ ସ୍ଥଗିତାଦେଶ ଆଣିବାରେ ସଫଳ ହେଲେ । ଏହି ମାମଲା ଏବେ ବି ଚାଲିଛି ଓ ସରକାର ରାଜକୋଷରୁ ତଣ୍ଡ ଗଣୁଛନ୍ତି । ତେବେ ଏହା ପଛର ଥିବା ଅସଲ କାରଣଟି ଏବେ ପଦାକୁ ଆସିଛି । ଦୀର୍ଘଦିନ ଧରି ବୋର୍ଡରେ ଆସ୍ଥାନ ଜମାଇଥିବା ଯନ୍ତ୍ରୀଜଣଙ୍କ ଏହି ଠିକା କର୍ମଚାରୀଙ୍କ ସହାୟତାରେ ନେତା ସାଜିଛନ୍ତି । ତାଙ୍କୁ କିଏ ବୋର୍ଡରୁ ହଟାଇବ ବୋଲି କହି ବୁଲୁଛନ୍ତି । ନିକଟରେ ଦୁଇଜଣ ମନ୍ତ୍ରୀଙ୍କୁ କରାୟତ କରି ସଦସ୍ୟ ସଚିବ ପଦବୀକୁ ଯିବାପାଇଁ ଉଦ୍ୟମ କରିଥିବା ଏହି ଯନ୍ତ୍ରୀଜଣଙ୍କ ସେଥିରେ ସଫଳ ନହେବାରୁ ଠିକା କର୍ମଚାରୀମାନେ ହତାଶ ହୋଇଛନ୍ତି । କାରଣ ସଚିବ ପଦବୀରେ ବସିଲେ ସେମାନଙ୍କ ଚାକିରି ନିୟମିତ ହୋଇଯିବ ବୋଲି ଆଶ୍ୱାସନା ଦେଇଥିବା ନେଇ ଆଲୋଚନା ହୋଇଛି । ତେବେ ଦୀର୍ଘଦିନ ଧରି ବୋର୍ଡରେ ଗାଦିମାଡି ବସିଥିବା ଯନ୍ତ୍ରୀଙ୍କ ହାତରେ ଏକାଧିକ କ୍ଷମତା ରହିଛି । ନିକଟରେ ତାଙ୍କ ହାତରୁ କିଛି କ୍ଷମତା କାଢି ଅନ୍ୟ ଯୁବ ଅଧିକାରୀଙ୍କୁ ଦେବାପାଇଁ ଉଦ୍ୟମ ହେବାରୁ ପ୍ରଦୂଷଣ ବୋର୍ଡରେ ଆରମ୍ଭ ହୋଇଛି କ୍ଷମତା କନ୍ଦଳ ।

ଏହି ଯନ୍ତ୍ରୀଙ୍କ ପାଇଁ ପୂର୍ବରୁ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଦୁଇ ମନ୍ତ୍ରୀ ଏବଂ ଜଣେ ଉପକୂଳିଆ ବିଧାୟକ ଲବି କରୁଥିଲେ । ଏବେ କିନ୍ତୁ ଯନ୍ତ୍ରୀ ଜଣଙ୍କ ଆଉଜଣେ ଯୁବ ବିଧାୟକଙ୍କ ନାଁ କହି ବୋର୍ଡରେ ସମସ୍ତଙ୍କୁ ନାଲିଆଖି ଦେଖାଉଛନ୍ତି । ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିବା ଅବିଭକ୍ତ କଟକ ଜିଲ୍ଲାର ଏହି ଯୁବ ବିଧାୟକ ବାସ୍ତବରେ ଯନ୍ତ୍ରୀଙ୍କ ସପକ୍ଷରେ ଅଛନ୍ତି କି ନାହିଁ ଜାଣିବାକୁ ଏବେ ବୋର୍ଡର କିଛି କର୍ମଚାରୀ ଲାଗି ପଡିଛନ୍ତି । ଯଦି ସତରେ ବିଧାୟକ ମୁଣ୍ଡ ଖେଳାଉଥାନ୍ତି ତେବେ ବୋର୍ଡର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ କାନକୁ କଥା ନେବେ ବୋଲି କିଛି କର୍ମଚାରୀ କହି ବୁଲୁଛନ୍ତି ।