ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏକ ଯୋଜନା ବୈଠକରେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା ଓ ପାଠ ପଢ଼ାଇବା ଏବେ ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ନୀଳଗିରି ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏକ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ନୀଳଗିରି ଏନଏସି ଅଧିନ କାହାଳିଆ ନୋଡାଲ ସ୍କୁଲ, ଗୋପୀନାଥପୁର ନୋଡାଲ ସ୍କୁଲ, ନୀଳଗିରି ସରସ୍ୱତୀ ଶିଶୁ ମନ୍ଦିର, ନୀଳଗିରି କେସି ହାଇସ୍କୁଲ, ଅମୃତବାଣୀ ଗୁରୁକୂଳ ଓ ବେଦ ଜ୍ୟୋର୍ତିବିଦ୍ୟାଳୟ, ବିଷ୍ଣୁପ୍ରିୟା ହାଇସ୍କୁଲ ସାରୁପାଳ ଆଦି ସ୍କୁଲର ଶିକ୍ଷକଙ୍କୁ ଉତ୍ତମ ମାନର ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେଇଥିଲେ ।
ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବ୍ୟତୀତ ପରିଚାଳନା କମିଟିର ସଭାପତି, କିଛି ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । କଥା ଛଳରେ ସେ ଇଣ୍ଡିଆରୁ ଇଣ୍ଡିଆନ, ଆମେରିକାରୁ ଅମେରିକାନ ହେଲେ ଇଂଲଣ୍ଡର ନାଗରିକ କଣ ହେବ ବୋଲି ଲେଖିବାକୁ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କୁ କହିଥିଲେ । ସେଥିମଧ୍ୟରୁ କିଏ ଇଂଲଣ୍ଡିଆନ ଲେଖିଥିଲେ ତ ଆଉ କିଏ କଥା ଧରାପଡିବା ଭୟରେ ଶବ୍ଦ ଭୁଲଭାଲ୍ ଲେଖିଥିଲେ । ତେବେ ଶିଶୁ ମନ୍ଦିରର ଶିକ୍ଷକ ଇଂଲିଶ ଲେଖିଥିଲେ। ଏହାପରେ ଇଂଲଣ୍ଡିଆନ ଶବ୍ଦ କେଉଁ ଡିକ୍ସନାରୀରେ ଅଛି ପଚାରିବାରେ ସବୁ ଶିକ୍ଷକ ତଳକୁ ମୁହଁ ପୋତି ବସିଥିଲେ। ଏହି ସମୟରେ ଜଣେ ଶିକ୍ଷିତ ବେକାର ଯୁବକ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇ ଇଂଲିଶ ହେବ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ ଶିକ୍ଷାର ମାନ ନରହିଲେ ପିଲାମାନେ ଏହି ଭୁଲ ଶିକ୍ଷା ଗ୍ରହଣ କରୁଥିବାରୁ କିପରି ମେଧାବୀ ହେବେ ବୋଲି ପ୍ରଶ୍ନ ଉଠାଇଛନ୍ତି।
