Odia News Portal

ଜନତା ପାଣି ଘେରରେ : ନେତା କରୋନା କବଳରେ

ଭୁବନେଶ୍ୱର : ରାଜ୍ୟର ୨୦ ଜିଲ୍ଲାର ଲକ୍ଷାଧିକ ଲୋକ ଏବେ ପାଣିଘେରରେ । ଏଭଳି ବିପଦ ସମୟରେ ସେମାନଙ୍କ ନିକଟରେ ସ୍ଥାନୀୟ ନେତା ପହଞ୍ଚୁଛନ୍ତି । ତେବେ ଜଣକ ପରେ ଜଣେ ନେତା ଯେଭଳି କରୋନା କବଳରେ ପଡୁଛନ୍ତି ତାହା ବନ୍ୟା ପ୍ରପୀଡିତଙ୍କୁ ହତାଶ କରୁଛି । କଟକ ଜିଲ୍ଲାରେ ବନ୍ୟା ବିତ୍ପାତ ଜାରି ରହିଥିବାବେଳେ ବିଧାୟକ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଏବେ ଏକାନ୍ତବାସରେ ଅଛନ୍ତି । ସେହିଭଳି ଅବସ୍ଥା ମନ୍ତ୍ରୀ ଅରୁଣ ସାହୁଙ୍କର । ସେ ମଧ୍ୟ କରୋନା ଆକ୍ରାନ୍ତ । ଖୋଦ ମୁଖ୍ୟମନ୍ତ୍ରୀ ଟୁଇଟ୍‍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅରୁଣଙ୍କ ଜିଲ୍ଲା ନୟାଗଡରେ ମଧ୍ୟ ବନ୍ୟା ବିଭିଷୀକା ଦେଖିବାକୁ ମିଳିଛି । ସେହିଭଳି ଭଦ୍ରକ ଜିଲ୍ଲାରେ ବନ୍ୟା ତାଣ୍ଡବ ଚାଲିଥିବାବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ ହୋଇଛନ୍ତି । କାଲି ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ କରୋନରେ ସଂକ୍ରମିତ ହୋଇ ସାରିଛନ୍ତି ।

ତେବେ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଆଗଧାଡିର ଏହି ନେତାମାନେ ଟେଲିଫୋନ୍‍ ମାଧ୍ୟମରେ ସେମାନଙ୍କର ସହାୟତା
ଜାରି ରଖିଛନ୍ତି । ବିଶେଷକରି ବିଭିନ୍ନ ଅଞ୍ଚଳରେ ଥିବା ନିଜ ନିଜ ସମର୍ଥକଙ୍କ ସହାୟତାରେ ବିପନ୍ନଙ୍କ ନିକଟରେ ସହାୟତା
ପହଞ୍ଚାଇବାପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ତେବେ ବନ୍ୟା ପ୍ରପୀଡିତମାନେ ଏଭଳି ଦୁଃଖ ସମୟରେ ନିଜର ପ୍ରିୟ ନେତାଙ୍କୁ ନିକଟରେ ଦେଖି ଯେତିକି ଆଶ୍ୱାସନା ଓ ସାହସ ପାଇବା କଥା ତାହା ହୋଇପାରୁ ନାହିଁ । ଏଥିଯୋଗୁଁ ଦଳ ମତ ନିର୍ବିଶେଷରେ ବହୁ ଲୋକେ ଦୁଃଖ ପ୍ରକାଶ କରିବାରେ ଲାଗିଛନ୍ତି । କରୋନା ସଂକ୍ରମିତ ହୋଇଥିବା ସମସ୍ତ ବିଧାୟକ ଓ ମନ୍ତ୍ରୀ ସେମାନଙ୍କର ପଜିଟିଭ ରିପୋର୍ଟ ଆସିବା ପର୍ଯ୍ୟନ୍ତ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କାର୍ଯ୍ୟ ଜାରି ରଖିଥିଲେ । କଟକଣା ନମାନି ସାଧାରଣ ଲୋକଙ୍କ ଅତି ନିକଟତର ହେବାରୁ ସଂକ୍ରମିତ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରାଯାଉଛି । ତେବେ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ସୁସ୍ଥହେବା ପର୍ଯ୍ୟନ୍ତ ସେମାନଙ୍କୁ ଆଇସୋଲେସନରେ ହିଁ ରହିବାକୁ ପଡିବ । ଅନ୍ୟ ପକ୍ଷରେ ନିଜ ନିଜ ଅଞ୍ଚଳରେ ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ କିଭଳି ତୁରନ୍ତ ସହାୟତା ପହଞ୍ଚିପାରିବ ସେଥିପାଇଁ ସଂକ୍ରମିତ ନେତାମାନେ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ଲକ୍ଷ୍ୟ କରାଯାଉଛି ।

ଗୋଟିଏ ପଟେ ଜନତା ପାଣି ଘେରରେ ରହିବା ଓ ନେତାମାନେ ଏହି ସମୟରେ ନେତାମାନେ ଘରେ ରହିବା ରାଜ୍ୟରେ ନୂଆ ଇତିହାସ ସୃଷ୍ଟି କରିଛି । ତେବେ କରୋନା ଯୋଗୁଁ ଯେଉଁ ପରିସ୍ଥିତି ଉପୁଜିଛି ତାହାକୁ ସାମ୍ନା କରିବାକୁ ପଡିବ ବୋଲି ଉଭୟ ନେତା ଓ ସେମାନଙ୍କ ସମର୍ଥକମାନେ ମତ ଦେଉଛନ୍ତି । ନିଜ ନିଜ ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରି ବନ୍ୟା ସମୟରେ ବି ସେମାନଙ୍କ ସମର୍ଥକମାନେ ପୂଜା ପାଠ ଜାରି ରଖିଛନ୍ତି । ନେତାମାନେ ବି କିଭଳି ଅତିଶୀଘ୍ର ସୁସ୍ଥହୋଇ ନିଜ ନିଜ ସମର୍ଥକଙ୍କ ନିକଟରେ ହାଜର ହୋଇ ଆହା ପଦେ କହିବେ ସେଥିପାଇଁ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳୁଛି ।