Odia News Portal

ଯାତ୍ରୀନିବାସ ପାଇଁ ୧୦ ଲକ୍ଷ ରାଜସ୍ୱ ହରାଇଲାଣି ବିଏମ୍‌ସି

କଟକ ରୋଡ୍‌ : ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ସଂକ୍ରମଣକୁ ଲକ୍ଷ୍ୟ ରଖି ଗତ ୪ ମାସ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଓ ଶିଳ୍ପ କେନ୍ଦ୍ର ବନ୍ଦ ରହିଥିଲା । ଏବେ ଅନ୍‌ଲକ୍‌-୪ ଆରମ୍ଭ ହୋଇଛି । ଆଉ ଅଳ୍ପ ବହୁତ ସଂସ୍ଥା ଓ ଶିଳ୍ପାନୁଷ୍ଠାନ ବି ଖୋଲିବାରେ ଲାଗିଛି । ହେଲେ ଏମିତି କିଛି ଅନୁଷ୍ଠାନ ରହିଛି ଯାହା ଆଜିଯାଏ ଖୋଲିନି । ଆଉ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଛନ୍ତି । ଏହିକ୍ରମରେ ଆସୁଛି ବିଏମ୍‌ସି ପରିଚାଳିତ ଭୁବନେଶ୍ୱର ଯାତ୍ରୀ ନିବାସ ।

ଏହି ଯାତ୍ରୀ ନିବାସ ବନ୍ଦ ରହିବା ଆଜକୁ ପ୍ରାୟ ୫ ମାସ ହୋଇଗଲାଣି । ଏହା ଫଳରେ ବିଏମ୍‌ସି ୧୦ ଲକ୍ଷ ଟଙ୍କା ରାଜସ୍ୱ ହରାଇ ସାରିଲାଣି । ରାଜଧାନୀର ପ୍ରମୁଖ ସ୍ଥାନ କଟକ ରୋଡ୍‌ରେ ରହିଛି ଏହି ଯାତ୍ରୀ ନିବାସ । କୋଭିଡ୍‌ ପରିଚାଳନା ପାଇଁ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ଏସବୁ କାର୍ଯ୍ୟକ୍ରମ ପରେ ମାର୍ଚ୍ଚ ୧୫ରୁ ଏହା ବନ୍ଦ ରହିଛି ।
ମୁଖ୍ୟତଃ ନିବାସରେ ଥିବା ରୁମ୍‌ ଓ ଡର୍ମିଟୋରୀ ଇତ୍ୟାଦି ଭଡ଼ା କମ୍‌ ଥିବାରୁ ଏଠାରେ ଯାତ୍ରୀଙ୍କ ଭିଡ଼ ଅଧିକ ରହିଥାଏ । ତଳ ମହଲାରେ ଥିବା ୧୪ଟି ରୁମ୍‌ରେ ଯାତ୍ରୀଙ୍କ ପାଇଁ ରହିବା ସୁବିଧା ସହ ଡର୍ମିଟୋରୀ ରହିଛି । ପ୍ରତି ରୁମ୍‌ରେ ୩ଟି ବେଡ୍‌, ସହ ସଂଯୁକ୍ତ ଶୌଚାଳୟ ପାଇଁ ୫୦୦ ଟଙ୍କା ଭଡ଼ା ରହିଛି । ଏଠାରେ ୧୮ଟି ବେଡ୍‌ ରହିଛି । ଡର୍ମିଟୋରୀ ୧୫୦୦ ଟଙ୍କା ଓ ପ୍ରଥମ ମହଲାରେ ଥିବା ଗୋଟିଏ ରୁମ୍‌ରେ ପଡ଼ିଥିବା ୩ଟି ବେଡ୍‌ ପାଇଁ ମାତ୍ର ୩୫୦ ଟଙ୍କା ଦେବାକୁ ପଡେ । ବେଡ୍‌ ଥିବା ଡର୍ମିଟୋରୀର ଭଡ଼ା ୫୦୦ ଟଙ୍କା ବିଏମ୍‌ସି ସ୍ଥିର କରିଛି ।

କରୋନା ପୂର୍ବରୁ ବାର୍ଷିକ ପ୍ରାୟ ୨୫ ଲକ୍ଷ ଟଙ୍କା ବିଏମ୍‌ସି ଯାତ୍ରୀଙ୍କ ଠାରୁ ଭଡ଼ା ଆକାରରେ ପାଇଥାଏ ବୋଲି ଯାତ୍ରୀ ନିବାସର ଜଣେ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଯଦି ବାର୍ଷିକ ରାଜସ୍ୱ ଆକାରରେ ବିଏମ୍‌ସି ଏଠାରୁ ୨୫ ଲକ୍ଷ ଟଙ୍କା ପାଉଥାଏ, ତେବେ ଏଇ ୫ ମାସ ମଧ୍ୟରେ ହାରାହାରି ୧୦ ଲକ୍ଷ ଟଙ୍କା ନିଶ୍ଚୟ ରାଜସ୍ୱ ଆସିଥାନ୍ତା । ହେଲେ ସେତକ ହରାଇଛି ବିଏମ୍‌ସି ।

ଇତି ମଧ୍ୟରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ କୋଭିଡ୍‌ ହସପିଟାଲ ଖୋଲିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଚାଲିଥିବା ଫଳରେ ଯାତ୍ରୀ ନିବସାରେ ପୂର୍ବବତ୍‌ କୋଭିଡ୍‌ ୧୯ କାର୍ଯ୍ୟ ପରିଚାଳନା କେତେକାଂଶରେ କମିଛି ବୋଲି କର୍ମଚାରୀ ଜଣକ କହିଛନ୍ତି । ଅନ୍ୟପକ୍ଷରେ ୨ ମାସ ଧରି ଯାତ୍ରୀ ନିବାସ ରଙ୍ଗ କାମ ଚାଲୁଥିବା ସହ ପ୍ରଥମ ମହଲାର ମରାମତି କାମ ବି ଚାଲୁ ରହିଛି । ଦ୍ୱିତୀୟ ମହଲାର ବିଭିନ୍ନ ସ୍ଥାନ ଭାଙ୍ଗି ରୁଜୁ ଯାଇଥିଲେ ବି ତାହା ମରାମତି ହୋଇନି । ତେଣୁ ଉକ୍ତ ମହଲାର ରୁମ୍‌ ଓ ଡର୍ମିଟୋରୀ ମଧ୍ୟ ଦୀର୍ଘଦିନ ଧରି ବନନ୍ଦ ରହିଛି । ଯାତ୍ରୀ ନିବାସ ବନ୍ଦ ରହିଥିବା ବେଳେ ନିକଟରେ ଥିବା ଅନ୍ୟ ହୋଟେଲରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି । ଯାତ୍ରୀ ନିବାସରେ ଲୋକେ ରହିବା ପାଇଁ କିପରି ବ୍ୟବସ୍ଥା କରାଯିବ ସେନେଇ ବିଏମ୍‌ସି ଏଯାବତ୍‌ ଚିନ୍ତା କରୁନାହିଁ ।ଘଟଣା ସମ୍ପର୍କରେ ଯାତ୍ରୀ ନିବାସ ଦାୟିତ୍ୱରେ ଥିବା ଡେପୁଟି କମିଶନର କମଳଜିତ୍‌ ଦାସଙ୍କୁ ପଚାରିବାରେ ସେ କହିଲେ କୋଭିଡ୍‌-୧୯ ପରିଚାଳନା ପାଇଁ ଏହା ବନ୍ଦ ରହିଛି । ଖୁବ୍‌ ଶୀଘ୍ର ଖୋଲାଯିବ ।