Odia News Portal

ବନ୍ୟାଞ୍ଚଳରେ କାଳ ହେଲାଣି ନେତା ଅଫିସରଙ୍କ ଗହଳି

ଭୁବନେଶ୍ୱର : ବନ୍ୟାଞ୍ଚଳରେ ନେତାଙ୍କ ଗହଳି ଯୋଗୁଁ କିଛି ଲୋକେ ଏବେ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ନେତାମାନେ ଯୁଆଡେ ଯାଉଛନ୍ତି ସାଙ୍ଗରେ ଗଣମାଧ୍ୟମ ପ୍ରତିନିଧି, କ୍ୟାମେରା ଓ ବୁମ୍‍ ଯାଉଥିବାରୁ ସେହିସବୁ ଅଞ୍ଚଳ ପ୍ରତି ବିଶେଷ ଫୋକସ ଦିଆଯାଉଛି । ସେଠାରେ ରିଲିଫ ଆଗ ପହଞ୍ଚିବା ସହିତ ସମ୍ପୃକ୍ତ ଅଞ୍ଚଳର ସମସ୍ୟା କଥା ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏଥିରେ ଅନ୍ୟ ଅଞ୍ଚଳବାସୀ ଏବେ ଏକ ପ୍ରକାର ଅତିଷ୍ଠ । ତେଣୁ ନେତାମାନେ ଗସ୍ତ କରୁଥିବା ଅଞ୍ଚଳ ସହିତ ଅନ୍ୟ ଅଞ୍ଚଳକୁ ସମାନ ଗୁରୁତ୍ୱ ଦେବାପାଇଁ ଲୋକେ ଗୁହାରୀ କଲେଣି । ରାଜ୍ୟର ୨୦ଟି ଜିଲ୍ଲା ଏବେ ବନ୍ୟା ପାଣି ଘେରରେ । କେଉଁଠି ବନ୍ୟା ଛାଡିଗଲାଣି ତ ଆଉ କେଉଁଠି ଲୋକେ ଏବେ ବି ପାଣିଘେରରେ ଅଛନ୍ତି । ସରକାରଙ୍କ ସହାୟତା ସେମାନଙ୍କ ନିକଟରେ ପହଞ୍ଚିବାରେ ଲାଗିଛି । ତେବେ କିଛି ରାଜ୍ୟସ୍ତରୀୟ ଓ ଆଉ କିଛି ସ୍ଥାନୀୟ ନେତା ଏବେ ରାତିପାହିଲେ ଦଳ ବଳ ଧରି ବନ୍ୟାଞ୍ଚଳ ଗସ୍ତ କରୁଛନ୍ତି । ଚେଲାଚାମୁଣ୍ଡାଙ୍କ ଲାଗି ଏବେ ବନ୍ୟା ପର୍ଯ୍ୟଟନ ଅବସ୍ଥା ସୃଷ୍ଟି କରିଛି । ମାଳ ମାଳ ଚେଲାଚାମୁଣ୍ଡା ରାତି ପାହିଲେ ଜାମାଜୋଡ ହୋଇ ବାହାରୁଛନ୍ତି ।

ଏଥିପାଇଁ ଆଗୁଆ ପ୍ରସ୍ତୁତି ବି ହେଉଛି । ସାଙ୍ଗରେ କେଉଁ ଗଣମାଧ୍ୟମ ସଂସ୍ଥାର କ୍ୟାମେରା ଓ ପ୍ରତିନିଧି ଯିବେ ତାହାର ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି । ଯେହେତୁ ନେତାମାନେ ଗସ୍ତ କରୁଛନ୍ତି ଓ ବନ୍ୟାଞ୍ଚଳରେ ଟିଭିକୁ ବାଇଟ୍‍ ଦେଉଛନ୍ତି ତେଣୁ ସ୍ଥାନୀୟ ପ୍ରଶାସନ ବି ତତ୍ପର ହୋଇ ଉଠୁଛି । ନେତାମାନେ ଯେଉଁଠାରୁ ଯାଉଛନ୍ତି ତାହାର ସୂଚନା ପୂର୍ବରୁ ପହଞ୍ଚି ଯାଉଥିବାରୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆସି ସେଠାରେ ଆଗତୁରା ପହଞ୍ଚି ଲେକାଙ୍କ ସମସ୍ୟା ଶୁଣୁଛନ୍ତି । ନେତାଙ୍କ ସହିତ ସେମାନେ ବି ଦୁଇ ତିନିଟା ବାଇଟ୍‍ ଦେବାକୁ ପଛାଉ ନାହାନ୍ତି । ଏଥିଯୋଗୁଁ ଯେଉଁ ଅଞ୍ଚଳକୁ ନେତାଙ୍କ ପାଦ ନପଡୁଛି ତାହା ଯେଭଳି ଅଛୁଆ ହୋଇ ରହିଯାଉଛି । ସେଠାକୁ ପଛରେ ରିଲିଫ ଯାଉଥିବାର ବି ଅଭିଯୋଗ ଆସୁଛି । କେବଳ ନେତା ନୁହନ୍ତି କିଛି ବରିଷ୍ଠ ଅଧିକାରୀଙ୍କ ଘନ ଘନ ବନ୍ୟାଞ୍ଚଳ ଗସ୍ତ ଯୋଗୁଁ ମିଡିଆ ନଜରରେ ସେମାନେ ଗସ୍ତ କରୁଥିବା ଅଞ୍ଚଳ ରହୁଛି । ପ୍ରଶାସନିକ ଅଧିକାରୀମାନେ ବି ନିଜେ ତତ୍ପର ବୋଲି ଯେଭଳି ଉପର ମହଲ ଜାଣିବ ତାହାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ।

ସାଙ୍ଗରେ ମାଳ ମାଳ କ୍ୟାମେରାମ୍ୟାନ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ପ୍ରକାର କାଇଦା କରି ନେଉଛନ୍ତି । ନେତା, ଅଧିକାରୀଙ୍କ ଏଭଳି ଗସ୍ତ ଏବେ ଲୋକଙ୍କ ଆଶ୍ୱାସନା ଦେବା ସହିତ ସମସ୍ୟା ବି ଉପୁଜାଇବାରେ ଲାଗିଛି । ଆଉ କିଛି ନେତାଙ୍କ ଚେଲା ଚାମୁଣ୍ଡାତ ସରକାରଙ୍କ ଟାର୍ଗେଟ କରି ବନ୍ୟାଞ୍ଚଳରେ ପାଦ ଦେଉ ଦେଉ ସୋସିଆଲ ମିଡିଆରେ ଭିଡଓ ଜାରି କରୁଛନ୍ତି । ତେଣୁ ବନ୍ୟା କଷ୍ଟରେ ଛଟପଟ ହେଉଥିବା ଲୋକଙ୍କୁ ସହାୟତା ଦେବା ସହିତ ସେମାନଙ୍କ ସମବେଦନ ଜଣାଇବାପାଇଁ ଯାଉଥିବା ନେତା ଓ ଅଫିସରମାନେ ଏଭଳି ପ୍ରଚାର ସର୍ବସ୍ୱ ନହେବାକୁ ଅନେକ ମତ ଦେଉଛନ୍ତି । ଏହାଦ୍ୱାରା ସେମାନଙ୍କ ପ୍ରଚାର ହେଉଥିବାବେଳେ ଅନ୍ୟ ଅଞ୍ଚଳବାସୀ ଯେ ଏହା ଦ୍ୱାରା କେତେ କ୍ଷତିଗ୍ରସ୍ତ ହେଉଛନ୍ତି ସେମାନେ ତାହା ଜାଣିବା ଆବଶ୍ୟକ ବୋଲି କିଛି ଲୋକ ଖୋଲାଖୋଲି ଭାବେ କହୁଛନ୍ତି ।