ଭୁବନେଶ୍ୱର : ରାଜ୍ୟର ମନ୍ଦିର ଗୁଡିକ ଖୋଲିବା ଉପରେ ସରକାର କଟକଣା ଲଗାଇଥିବାବେଳେ ମନ୍ଦିରରେ ଥିବା ପୂଜକମାନେ ମୁଣ୍ଡରେ ହାତଦେଇ ବସିଗଲେଣି । ସରକାରଙ୍କ ନିଷ୍ପତ୍ତି କ୍ରମେ କୋଭିଡ କଟକଣା ଭିତରେ ରେଷ୍ଟୁରାଣ୍ଟ ଓ ବାର ଆଦି ଖୋଲିଥିବାବେଳେ ମନ୍ଦିର ଉପରେ ଏଭଳି କଟକଣାକୁ ନେଇ ସାଧାରଣରେ ଭିନ୍ନମତ ପ୍ରକାଶ ପାଉଛି । କୋଣାର୍କ ମନ୍ଦିରକୁ କେନ୍ଦ୍ରସରକାର ସାଧାରଣ ଲୋକଙ୍କ ପାଇଁ ଖୋଲିଥିବାବେଳେ ଠାକୁରଙ୍କ ମନ୍ଦିର କେବେ ଖୋଲିବ ବୋଲି ପ୍ରଶ୍ନ କରୁଛନ୍ତି । ଅନ୍ଲକ୍-୪ରେ ରାଜ୍ୟର ପ୍ରାୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଆଦି ଖୋଲିଛି । ଜୀବନଯାତ୍ରା ସ୍ୱାଭାବିକ ହୋଇଥିବେଳେ ସରକାରଙ୍କ କାର୍ଯ୍ୟକୁ ବି ସାଧୁବାଦ ଦିଆଯାଉଛି । କାରଣ କରୋନା ମାଡରେ ଗତ ୫ମାସ ଧରି ରାଜ୍ୟ ଅର୍ଥନୀତି ଘାଇଲା ହୋଇଥିବାବେଳେ ଲୋକଙ୍କ ସ୍ଥିତି ବି ବିଗିଡି ଯାଇଥିଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଆଦିରେ କାର୍ଯ୍ୟରତ କର୍ମଚାରୀମାନେ ।
ସେମାନଙ୍କ ଜୀବିକା ଏକ ପ୍ରକାର ବୁଡି ଯାଇଥିଲା ।ସେପ୍ଟେମ୍ବରରୁ ପୁଣିଥରେ ସେମାନଙ୍କ ଜୀବନ ଗତିପଥ ପୂର୍ବ ଟ୍ରାକ୍କୁ ଫେରିବ ବୋଲି ଆଶା ବାନ୍ଧିଛନ୍ତି । ହେଲେ ମନ୍ଦିର ଖୋଲା ନଯିବାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଦେଶର ବିଭିନ୍ନ ସ୍ଥାନରେ କରୋନା କଟକଣା ନିୟମ ଭିତରେ ମନ୍ଦିର ଖୋଲିବାପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଥିବା ମାତା ବୈଷ୍ଣୋଦେୀ ମନ୍ଦିର ଅଗଷ୍ଟ ୧୬ ତାରିଖରୁ ଖୋଲିଥିବାବେଳେ କଟକଣା ଭିତରେ ଶ୍ରୀରାମନ୍ଦିର ପାଇଁ ଭୂମିପୂଜନ ହେଲା ଓ ଖୋଦ୍ ପ୍ରଧାନମନ୍ତ୍ରୀ ଏଥିରେ ଯୋଗଦେଲେ । ତେବେ ରାଜ୍ୟ ସରକାର ମନ୍ଦିର ଗୁଡିକ ଉପରୁ କଟକଣା ହଟାଉ ନଥିବାରୁ ରାଜ୍ୟର ଶହ ଶହ ମନ୍ଦିରରେ ତାଲା ଝୁଲୁଛି । ଏହାଦ୍ୱାରା ସାଧାରଣ ଲୋକେ ବିଶେଷକରି ଭକ୍ତମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାର୍ବଜନୀନ ପୂଜା ପାର୍ବଣ ବନ୍ଦ ରହିଛି । ଲୋକେ ନିଜ ନିଜ ଘରେ ପୂଜା କରୁଥିଲେ ମଧ୍ୟ ମନ୍ଦିରରେ ଯାଇ ଦିଅଁଙ୍କୁ ଦର୍ଶନ କରିବାକୁ ବ୍ୟଗ୍ର ହେବାରେ ଲାଗିଛନ୍ତି । କିଛି ଭକ୍ତଙ୍କ କହିବାକଥା ଯେ ସେମାନଙ୍କର ବି ଜୀବନକୁ ଲୋଭ ରହିଛି । ତେଣୁ କୋଭିଡ କଟକଣା ମଧ୍ୟରେ ଠାକୁର ଦର୍ଶନ କରିବରେ କିଛି ଅସୁବିଧା ନାହିଁ । ଏଥିପାଇଁ ମନ୍ଦିର ଗୁଡିକର ପାଇର୍ ମାର୍ଗଦର୍ଶିକା ଜାରି ହେବା ଦରକାର । ହେଲେ ସରକାର କଟକଣା ଉଠାଉ ନଥିବାରୁ ଧିରେ ଧିରେ ଲୋକେ ବି ଲୁଚିଛପି ମନ୍ଦିରରେ ପୂଜାପାଠ ଓ ଭୋଜିଭାତ ଆରମ୍ଭ କରିଦେଲେଣି ।
ଇତି ମଧ୍ୟରେ, ଜନ୍ମାଷ୍ଟମୀ, ଗଣେଷ ପୂଜା, ଅନନ୍ତ ବ୍ରତ ଭଳି ପର୍ବ ପର୍ବାଣୀ ଗଲାଣି । ଆଗକୁ ବିଶ୍ୱକର୍ମା ପୂଜା, ମହାଳୟା, ଦୁର୍ଗାପୂଜା ଆଦି ଆସୁଛି । ଏହି ସମୟରେ ମନ୍ଦିର ଗୁଡିକ ଚଳ ଚଞ୍ଚଳ ରହିବା କଥା । ହେଲେ ତାହାର ଆଶା ଦିଶୁନାହିଁ । ଏଣେ ପୂଜକମାନେ ଗୁରୁତର ଆର୍ଥିକ ସଙ୍କଟରେ ରହୁଛନ୍ତି । ଅନ୍ୟ କିଛି ବେଉଷାର ସମ୍ଭାବନା ନଥିବାରୁ ସେମାନେ ମନ୍ଦିରରେ ପଡି ରହିଛନ୍ତି । ବହୁ ସ୍ଥାନରେ ମନ୍ଦିର ପରିଚାଳନା କମିଟି ଚାନ୍ଦା ଆଦାୟକରି ନନାଙ୍କୁ ସେମାନଙ୍କ ପାଉଣା ଅଳ୍ପେ ବହୁତେ ଦେଉଛନ୍ତି । ତେବେ ଅନେକ ସ୍ଥାନରେ ଏବେ ଧିରେ ଧିରେ ଭକ୍ତଙ୍କ ଆବେଗକୁ ଲକ୍ଷ୍ୟକରି ନନାମାନେ ମଧ୍ୟ ସେମାନଙ୍କ ପୂଜା ସାମଗ୍ରୀଙ୍କ ନେଇ ଠାକୁରଙ୍କୁ ଲାଗି
କଲେଣି । ସବୁକିଛି ଲୁଚାଛପାରେ ଚାଲିଛି । ପ୍ରଶାସନ ଦେଖି ବି ଅଦେଖା ଭଳି ରହୁଛି । ତେଣୁ ଲୁଚାଛପାରେ କରେନା ବିପଦକୁ ଡାକିବା ଅପେକ୍ଷା ମାର୍ଗଦର୍ଶିକା ଜାରି କରି ଲୋକଙ୍କୁ ସୁରକ୍ଷିତ ଭାବେ ମନ୍ଦିରକୁ ଛାଡିବା ମଙ୍ଗଳକର ବୋଲି ମତପ୍ରକାଶ ପାଉଛି ।
