Odia News Portal

୧୨ରୁ ଚାଲିବ ୮୦ଟି ନୂଆ ସ୍ପେଶାଲ ଟ୍ରେନ୍‌, ଚଳିତମାସ ୧୦ରୁ ଆରମ୍ଭ ହେବ ରିଜର୍ଭେସନ୍‌

ରେଳବିଭାଗ ୧୨ ସେପ୍ଟେମ୍ବରରୁ ୮୦ଟି(୪୦ ଯୋଡ଼ା) ନୂଆ ସ୍ପେଶାଲ ଟ୍ରେନ୍‌ ଚଲାଇବାକୁ ଘୋଷଣା କରିଛି। ଏଥିପାଇଁ ସେପ୍ଟେମ୍ବର ୧୦ରୁ ରିଜର୍ଭେସନ୍‌ ଆରମ୍ଭ ହେବ। ରେଲୱେ ବୋର୍ଡର ଚେୟାରମ୍ୟାନ୍‌ ବିନୋଦ କୁମାର ଯାଦବ ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି।

ରେଳ ମନ୍ତ୍ରାଳୟ ପୂର୍ବରୁ କେତେକ ଶ୍ରମିକ ଟ୍ରେନ୍‌ ସେବା ସମେତ ଆଇଆରସିଟିସି ସ୍ପେଶାଲ ଟ୍ରେନ୍‌ ସେବା ଆରମ୍ଭ କରିଥିଲା। କରୋନା ମହାମାରୀ ଯୋଗୁ ଏବେ ସମସ୍ତ ଯାତ୍ରୀ ଟ୍ରେନ୍‌ ସେବା ବନ୍ଦ ରହିଛି। ଏବେ ଦେଶରେ ମାତ୍ର ୨୩୦ଟି ସ୍ପେଶାଲ ଟ୍ରେନ୍‌ ଚାଲୁଛି।

ଅନ୍‌ଲକ୍‌-୪ର ଗାଇଡ୍‌ଲାଇନ୍‌ ଜାରି ହେବାର ୩ ଦିନ ପରେ ଭାରତୀୟ ରେଲୱେ କହିଥିଲା ଯେ ରେଲେଓ୍ଵ ଆଗାମୀ ଦିନରେ ଆହୁରି ଅଧିକ ୧୦୦ଟି ଟ୍ରେନ୍‌ ଚଳାଇବାକୁ ଯୋଜନା କରୁଛି। କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ଯୋଗୁ ରେଲୱେ ୨୫ ମାର୍ଚ୍ଚରୁ ସମସ୍ତ ପାସେଞ୍ଜର, ମେଲ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ ସର୍ଭିସକୁ ରଦ୍ଦ କରିଦେଇଛି। ଶ୍ରମିକଙ୍କ ଲାଗି ମେ ୧ରୁ ଶ୍ରମିକ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ସେହିପରି ମେ ୧୨ରୁ ୧୫ ଯୋଡ଼ି ଏୟାର କଣ୍ଡିସନ୍‌ର ଟ୍ରେନ୍‌ ଓ ୧ ଜୁନ୍‌ରୁ ୧୦୦ ଯୋଡ଼ା ଟାଇମ୍‌ ଟେବୁଲଡ ଟ୍ରେନ୍‌ ଚଳାଇବାକୁ ଘୋଷଣା ହୋଇଛି। ଗତ ସପ୍ତାହରେ କେନ୍ଦ୍ର ସେପ୍ଟେମ୍ବର ୭ରୁ ମେଟ୍ରୋ ସର୍ଭିସ୍‌ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ।