ଢେଙ୍କାନାଳ : ପଦ୍ମାକୁ ମିଳିଲେ ନୂଆ ବନ୍ଧୁ | ବ୍ରହ୍ମପୁରରୁ ଉଦ୍ଧାର କରି କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଛଡ଼ା ଯାଇଥିବା ଗୋଠଛଡ଼ା ହାତୀଛୁଆ ପଦ୍ମାକୁ ମିଳିଛନ୍ତି ନୂଆ ବନ୍ଧୁ । ନୂଆ ବନ୍ଧୁକୁ ପାଇ ଏବେ ଖୁବ୍ ଖୁସୀ କୁନି ହାତୀଛୁଆ ପଦ୍ମ। | ଆଉ ପଦ୍ମାକୁ ମଧ୍ୟ ଖୁବ ଆଦରରେ ଆପଣାଇ ନେଇଛନ୍ତି ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ହାତୀ | ଗତ ୩୧ତାରିଖ ରାତିରେ ନୂଆ ଅତିଥି ଭାବେ ପଦ୍ମା କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ସାମିଲ ହୋଇଥିଲା।

ସୂଚନାନୁଯାୟୀ , ଛଅ ମାସର ହାତୀ ଛୁଆ ପଦ୍ମାକୁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯିବା ପରେ ସ୍ୱତନ୍ତ୍ର ଘରେ ବେଶ ଯତ୍ନର ସହ ରଖାଯାଇଥିଲା। ତାର ରକ୍ତ ନମୁନା ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷା କରାଯାଇଥିଲା। ଗତକାଲି ପଦ୍ମାର ରକ୍ତ ପରୀକ୍ଷା ରିପୋର୍ଟ ଆସିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି | ରକ୍ତ ପରୀକ୍ଷା ରିପୋର୍ଟରୁ ପଦ୍ମାକୁ କୌଣସି ସଂକ୍ରମଣ ନଥିବା ଜଣାପଡିଛି। ଏପରି କି ପଦ୍ମା ବେଶ ସକ୍ରିୟ ଥିବା ପ୍ରଥମ ଦିନରୁ ତାର କାର୍ଯ୍ୟକଳାପରୁ ଜଣାପଡିଛି। କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପୂର୍ବରୁ ରହିଥିବା ୧୦ରୁ ୧୨ ବର୍ଷର ଚନ୍ଦୁ, କାର୍ତ୍ତିକ ଓ ଉମା ସମେତ ତିନି ବର୍ଷର ହାତୀ ହିରୋ ସହ ପଦ୍ମା ମିଶିବା ପରେ ବେଶ ଖୁସି ଥିବା ଅନୁମାନ କରାଯାଇଛି।