ତାମିଲନାଡ଼ୁ ଉପକୂଳ ଅତିକ୍ରମ କରି ସାରିଥିବା ଭୀଷଣ ଘୂର୍ଣ୍ଣିଝଡ଼ ଗାଜା ରାଜ୍ୟରେ ତାଣ୍ଡବ ମଚାଇଛି। ଏହି ଝଡ଼ କାରଣରୁ ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ରେ ପହଞ୍ଚିଛି। ରାଜ୍ୟରେ ଉଦ୍ଧାର ଓ ରିଲିଫ କାର୍ୟ୍ୟ ଯୁଦ୍ଧକାଳୀନସ୍ତରରେ ଜାରି ରହିଛି। ତାମିଲନାଡ଼ୁ ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ପ୍ରାଧିକରଣ ଅନୁସାରେ ନିମ୍ନ ଇଲାକାରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି। ଗାଜାର ପ୍ରଭାବ କାରଣରୁ ରାଜ୍ୟର ଅନେକ ରାଜ୍ୟରେ ଭୀଷଣ ବର୍ଷା ହୋଇଛି।
ଶୁକ୍ରବାର ସକାଳେ ଏହି ଘୂର୍ଣ୍ଣିଝଡ଼ ତାମିଲନାଡୁରେ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲେମିଟରରେ ଗତିରେ ପ୍ରବାହିତ ହୋଇଥିଲା। ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ପ୍ରାଧିକରଣ ମୁତାବକ ନିମ୍ନ ଇଲାକାରୁ ୭୬,୨୯୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କଡଲୁର, ନାଗପଟ୍ଟିନମ, ପୁଡୁକୋଟ୍ଟାଇ, ରାମନାଥପୁରମ, ତରିୁବରୁର, ତଞ୍ଜାପୁରରେ ୪୭୧ ଶିବିରରେ ୮୧,୯୪୮ ଜଣ ଲୋକେ ରହୁଛନ୍ତି। ଏହି ଝଡ଼ତୋଫାନ କାରଣରୁ ନାଗାପଟ୍ଟିନମ ଓ କରାଇକଲ ଜିଲ୍ଲାରେ ଶତାଧିକ ବିଜୁଳି ଖମ୍ବା ଭାଙ୍ଗି ଯାଇଛି।
ମୁଖ୍ୟମନ୍ତ୍ରୀ ପଲାନିସାମୀ ଗାଜାରେ ମୃତ୍ୟୁ ଘଟିଥିବା ପରିଜନଙ୍କ ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ ଏକ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗାଜାକୁ ନେଇ ମୁଖ୍ୟମନ୍ତ୍ରୀ ପଲାନିସାମୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି। ରାଜନାଥ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଯଥା ସମ୍ଭବ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ଵାସନ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.