ଭୁବନେଶ୍ବର : ବିଜୁ ଯୁବ ବାହିନୀ ଦାୟିତ୍ବରେ ଥିବା ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟକ୍କର ଦେବେ ଆଉ ଜଣେ ଓଡିଆ ଆଇପିଏସ୍ ପ୍ରକାଶ ମିଶ୍ର । ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀଭାବେ ଅରୂପଙ୍କୁ ଟକ୍କର ଦେବାପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବାର ସୂଚନା ମିଳିଛି ।
୧୯୭୯ ବ୍ୟାଚ୍ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ ମୁମ୍ବାଇ ପୁଲିସ୍ କମିଶନର ପଦରୁ ଅବସର ନେବାପରେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ମଧ୍ୟ ଅନୁପଙ୍କ ବ୍ୟକ୍ତିତ୍ବରୁ ଫାଇଦା ଉଠାଇବାପାଇଁ ଉଦ୍ୟମ ଚଳାଇଛି । ତାଙ୍କର ଭାବମୂର୍ତ୍ତିକୁ ଆଧାରକରି ବିଜେଡି ତାଙ୍କୁ ବିଜୁ ଯୁବ ବାହିନୀ ଦାୟିତ୍ବ ଦେଇଥିବାବେଳେ ଲୋକସଭା ପ୍ରାର୍ଥୀ କରିବାପାଇଁ ଯୋଜନା କରିଛି । ଭୁବନେଶ୍ବର କିମ୍ବା ପୁରୀରୁ ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ଆଗୁଆ ସୂଚନା ମିଳୁଛି । ଶ୍ରୀ ପଟ୍ଟନାୟକ ପୁରୀ ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବାବେଳେ ଏବେ ଭୁବନେଶ୍ବରରେ ଅବସ୍ଥାନ କରୁଛନ୍ତି । ତେଣୁ ଏହି ଦୁଇ ସ୍ଥାନରୁ ଯେକୌଣସି ଗୋଟିଏ ହେଲେ ତାଙ୍କର ଅସୁବିଧା ନାହିଁ ।
ଅନ୍ୟପକ୍ଷରେ ଅରୂପଙ୍କୁ ଟକ୍କର ଦେବାପାଇଁ ବିଜେପି ପ୍ରକାଶ ମିଶ୍ରଙ୍କୁ ମଇଦାନକୁ ଆଣିପାରେ ବୋଲି ଆଭାସ ମିଳିଲାଣି । ୧୯୭୭ ବ୍ୟାଚ୍ ଆଇପିଏସ୍ ପ୍ରକାଶଙ୍କ ଭାବମୂର୍ତ୍ତି ମଧ୍ୟ ବେଶ୍ ପ୍ରଭାବଶାଳୀ । ଓଡିଶା ପୁଲିସ୍ ମହାନିର୍ଦ୍ଦେଶକ ଭାବେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ସିବିଆଇ ମୁଖ୍ୟ ପଦବୀରେ ବସିବାର ସୁଯୋଗ ତାଙ୍କର ହାତଛଡା ହୋଇଯାଇଥିଲା । ସେତେବେଳେ ରାଜ୍ୟ ସରକାର ତାଙ୍କ ବିରୁଦ୍ଧରେ ରୁଜୁ କରିଥିବା ଭିଜିଲାନ୍ସ ମାମଲାକୁ ଦାୟୀ କରାଯାଇଥିଲା । ତେବେ କେନ୍ଦ୍ରରେ ତାଙ୍କର ଭଲ ଟ୍ରାକ ରେକର୍ଡ ଯୋଗୁଁ ପ୍ରକାଶଙ୍କୁ ସିଆରପିଏଫ୍ ଡିଜି ପଦବୀରେ ନିଯୁକ୍ତି ମିଳିଥିଲା । ପରେ ବିଜେପି ସରକାର ତାଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ।
ବିଜେଡିର ଅରୂପଙ୍କୁ ଟକ୍କର ଦେବାପାଇଁ ବିଜେପି ପ୍ରକାଶଙ୍କୁ ରାଜନୀତିକୁ ଆଣିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପିରେ ପ୍ରକାଶଙ୍କ ଦବ୍ଦବା ଯୋଗୁଁ ତାଙ୍କ ମନପସନ୍ଦର ସ୍ଥାନରୁ ଦଳ ଟିକଟ ଦେବବୋଲି ମଧ୍ୟ ଚର୍ଚ୍ଚା ଚାଲଛି । ଯଦି ପ୍ରକାଶ ବିଜେପିରେ ଯୋଗ ଦିଅନ୍ତି ତେବେ ଅରୂପଙ୍କ ବିରୁଦ୍ଧରେ ଦଳ ତାଙ୍କୁ ଲଢାଇବାଟା ଏକ ପ୍ରକାର ଥୟ । ଗୋଟିଏ ପଟେ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଅପରାଜିତା ଷଡଙ୍ଗୀଙ୍କ ରାଜନୀତି ପ୍ରବେଶ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଅନ୍ୟପଟେ ପ୍ରକାଶ ମିଶ୍ରଙ୍କ ଓଡିଶା ବାହୁଡା ଓ ବିଜେପିରୁ ପ୍ରାର୍ଥୀ ହେବା ଚର୍ଚ୍ଚା ଏବେ ଓଡିଶା ରାଜନୀତିକୁ ଅଧିକ ସରଗରମ କରିବାରେ ଲାଗିଛି ।