ନିର୍ବାଚନ କମିଶନଙ୍କ ବିରୋଧରେ ଏକାଠି ହେବେ ବିରୋଧୀ ଦଳ! SIR ଏବଂ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗକୁ ନେଇ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବ INDIA ମେଣ୍ଟ। ଏଥିପାଇଁ ଐତିହାସିକ ରାମଲୀଳା ମୈଦାନରେ ଆୟୋଜନ ହେଉଛି ବିଶାଳ ମହାସମାବେଶ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଆଜି ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀର ମିଣ୍ଟୋ ରୋଡ୍ ଓ କନଟ୍ ପ୍ଲେସ୍ ଜଙ୍କସନ୍ରୁ ପଦଯାତ୍ରା ଆରମ୍ଭ କରିବାର ଯୋଜନା ରହିଛି। ଏହି ପଦଯାତ୍ରା ରାମଲୀଳା ମୈଦାନରେ ପହଞ୍ଚିବା ପରେ ସେଠାରେ ମହାସମାବେଶ ଆୟୋଜନ ହେବ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ଆନ୍ଦୋଳନରେ ସାମିଲ ହେବାକୁ ରାହୁଲ ଗାନ୍ଧୀ ଆହ୍ୱାନ ଦେଇଛନ୍ତି।
ବିରୋଧୀ ମେଣ୍ଟର ଅଭିଯୋଗ ଅନୁସାରେ, SIR ପ୍ରକ୍ରିୟାରେ ଅନିୟମିତତା ଯୋଗୁଁ ଅନେକ ଯୋଗ୍ୟ ଭୋଟରଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି। ଏଥିସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। SIR ପ୍ରକ୍ରିୟା ବାତିଲ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ବାଲଟ୍ ପେପର ମାଧ୍ୟମରେ ନିର୍ବାଚନ କରାଇବା ଭଳି ଦାବି ଏହି ସମାବେଶରେ ଉଠିବାକୁ ଯାଉଛି। ସମାବେଶ ପୂର୍ବରୁ INDIA ମେଣ୍ଟର ନେତାମାନେ ମଧ୍ୟ ପ୍ରସ୍ତୁତି ଜୋରଦାର କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରୁ ଖୋଲା ବସ୍ରେ ବିରୋଧୀ ନେତାମାନେ ମିଣ୍ଟୋ ରୋଡ୍ ଅଭିମୁଖେ ଯିବାର ଯୋଜନା ରହିଛି। ଏଥିପାଇଁ କଂଗ୍ରେସ ମୁଖ୍ୟାଳୟରେ ସ୍ୱତନ୍ତ୍ର ବସ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସେପଟେ ମହାସମାବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୩ ହଜାର ୫୦୦ ପୋଲିସ କର୍ମଚାରୀ ମୁତୟନ ସହ ୨୦୦ରୁ ୨୫୦ଟି CCTV କ୍ୟାମେରା ମାଧ୍ୟମରେ ସୁରକ୍ଷା ଉପରେ ନଜର ରଖିବାର ବ୍ୟବସ୍ଥା ହୋଇଛି। ଏଥିସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ସହାୟତା ମଧ୍ୟ ନିଆଯିବ। ରାମଲୀଳା ମୈଦାନରେ ସମାବେଶ ପାଇଁ ସର୍ତ୍ତମୂଳକ ଅନୁମତି ମିଳିଥିବା ବେଳେ କନଟ୍ ପ୍ଲେସ୍ରୁ ପଦଯାତ୍ରା ପାଇଁ ପୋଲିସ ଅନୁମତିକୁ ନେଇ ଅନିଶ୍ଚିତତା ରହିଛି। ଏହା ପୂର୍ବରୁ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ପ୍ରତୀକାତ୍ମକ ‘ଜନ ମହାଭିଯୋଗ’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ INDIA ମେଣ୍ଟ ଯୋଜନା କରିଥିଲା। ତେବେ ବର୍ଷା ଯୋଗୁଁ ଏହାର ସମୟ ପରିବର୍ତ୍ତନ କରାଯାଇଥିଲା। ଏହା ଏକ ରାଜନୈତିକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ, ସଂସଦର ଔପଚାରିକ ମହାଭିଯୋଗ ପ୍ରକ୍ରିୟା ନୁହେଁ।
ତେବେ ଆଜିର ଏହି ମହାସମାବେଶରେ INDIA ମେଣ୍ଟର କେଉଁ କେଉଁ ଶୀର୍ଷ ନେତା ସାମିଲ ହେଉଛନ୍ତି? ନିର୍ବାଚନ କମିଶନଙ୍କ ବିରୋଧରେ ବିରୋଧୀଙ୍କ ପରବର୍ତ୍ତୀ ରଣନୀତି କ’ଣ ରହିବ? ଏବଂ ଏହି ଆନ୍ଦୋଳନ ଆଗକୁ କେଉଁ ମୋଡ଼ ନେବ? ଏସବୁ ଉପରେ ଏବେ ରହିଛି ସମସ୍ତଙ୍କ ନଜର।
