Odia News Portal

ମୃତ୍ୟୁ ପରେ ଶବ ଖୋଜୁଛି ଚାରି କାନ୍ଧର ସାହାରା

ଗଞ୍ଜାମ: କରୋନା ସମୟରେ ମରି ଯାଉଛି ମାନବିକତା । ମୃତ୍ୟୁ ପରେ ଯୁଇ ଯାତ୍ରା ପର୍ଯ୍ୟନ୍ତ ଶବକୁ ମିଳୁଛି ନା ସମ୍ମାନ ନା ଆତ୍ମୀୟ ମାନଙ୍କ ଚାରି କାନ୍ଧର ସାହାରା ।କିଛି ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ଗ୍ରାମରେ ।

ସୂଚନା ଅନୁଯାୟୀ, ପାତ୍ରପୁର ଗ୍ରାମର ୫୫ ବର୍ଷୀୟ ଚନ୍ଦ୍ରଶେଖର ମହାନ୍ତି ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ବୁଧବାର ସେ ହଠାତ୍ ଗୁରୁତର ହୋଇ ପଡ଼ିବାରୁ ସକାଳ ୮ଟାରେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଶରୀରରେ ଅକ୍ସିଜେନ ସ୍ତର କମିଯାଇଥିବାରୁ ତାଙ୍କର ସଂଗେ ସଂଗେ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରଶେଖର ଆଖି ବୁଜି ଦେଇଥିଲେ । ହେଲେ ଡାକ୍ତରଖାନା ଶଯ୍ୟାରେ ଶବ ସେମିତି ପଡ଼ି ରହିଥିଲା । ଏପରିକି କର୍ମଚାରୀମାନେ ମଧ୍ୟ ତଳକୁ ଶବ ଓହ୍ଲାଇ ଦେଇନଥିଲେ । ଆମ୍ବୁଲାନ୍ସ ବି ଯୋଗାଇ ଦିଆଯାଇ ନଥିଲା । ପରେ ଦଶମ ଶ୍ରେଣୀ ଛାତ୍ର ମୃତକଙ୍କ ପୁତୁରା ଦୀନବନ୍ଧୁ ମହାନ୍ତି ଏକ ଟ୍ରଲି ରିକ୍ସା ଯୋଗାଡ଼ କରିଥିଲେ । ଶେଷରେ ଶବକୁ ଟ୍ରଲି ରିକ୍ସାରେ ପକାଇ ଟାଣି ଟାଣି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ ମୃତକଙ୍କ ପୁତୁରା, ପୁଅ ଓ ଝିଆରୀ । ସେଠାରେ ସ୍ବେଚ୍ଛାସେବୀମାନେ ପିପିଇ କିଟ୍ ପିନ୍ଧି ଶବକୁ ସତ୍କାର କରିଥିଲେ । ମୃତ୍ୟୁ ପରେ ବି ଶବକୁ ମିଳିନଥିଲା ଆତ୍ମୀୟଙ୍କ ଚାରି କାନ୍ଧର ସାହାରା ।