Odia News Portal

‘ଡାର୍କ ୱେବ’ରେ ବୁଲୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ … କେମିିତି ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟର ପ୍ରାୟ ସାଢେ ଚାରି କୋଟି ଲୋକଙ୍କର ଆଧାର ତଥ୍ୟ ଚୋରି ହୋଇଯାଇଛି । ବାୟୋମେଟ୍ରିକ ଆଧାର ତଥ୍ୟ ୟୁନିକ୍‍ ଆଇଡେଣ୍ଟିଫିକେସନ ଅଥରିଟୀ ଅଫ୍‍ ଇଣ୍ଡିଆ (ୟୁଆଇଏଆଇ) ନିକଟରେ ସୁରକ୍ଷିତ ଭାବେ ରହିଥିବାବେଳେ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକରମାନେ ରାଜ୍ୟ ସରକାରଙ୍କ ସର୍ଭରରୁ ଉଡାଇ ନେଇଛନ୍ତି । କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ତନାଘନା କରିବାପରେ ଧିରେ ଧିରେ ଘଟଣା ପଦାକୁ ଆସୁଛି ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ବର୍ଷକୁ ତଳୁ ହ୍ୟାକରମାନେ ରାଜ୍ୟ ସରକାରଙ୍କ ଡାଟା ସେଣ୍ଟରରୁ ଷ୍ଟେଟ ଆଧାର ଡାଟା ଚୋରି କରି ନେଇଛନ୍ତି । କେନ୍ଦ୍ରୀୟ ସଂସ୍ଥା କମ୍ପ୍ୟୁଟର ଇର୍ମଜେନ୍ସି ରେସ୍‍ପନ୍ସ ଟିମ୍‍, ଇଣ୍ଡଆ (ସର୍ଟ ଇନ୍‍) ଏହା ଜାଣିବା ପରେ ରାଜ୍ୟ ସରକାରଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ କହିଥିଲେ । ହେଲେ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏଭଳି ସ୍ଥିତିରେ ପ୍ରାୟ ବର୍ଷକ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଆଇଟି ସେଲ୍‍ ପକ୍ଷରୁ ଓଡିଶାବାସୀଙ୍କ ଆଧାର ତଥ୍ୟ ‘ଡାର୍କ ୱେବ୍‍’ ରେ ବୁଲୁଥିବା ଜାଣିବାପରେ ରାଜ୍ୟ ସରକାରଙ୍କୁ ସୂଚୀତ କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଆଇଟି ବିଭାଗର ବଡପଣ୍ଡାଙ୍କୁ ଡାକି କାହିଁକି ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ ସେ ସଂକ୍ରାନ୍ତରେ ତଲବ କରିଛନ୍ତି । ଡାର୍କ ୱେବ୍‍ ହେଉଛି ହ୍ୟାକର ମାନଙ୍କର ଚୋରି ସାମଗ୍ରୀ ଘୂରି ବୁଲିଥିବା ୱେବ୍‍ ସାମ୍ରାଜ୍ୟ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆଧାରକାର୍ଡ ପ୍ରସ୍ତୁତ ସମୟରେ ଜଣେ ବ୍ୟକ୍ତିଙ୍କର ଦୁଇ ପ୍ରକାର ସୂଚନା ସଂଗ୍ରହ କରାଯାଇଥାଏ । ଗୋଟିଏ ହେଲା ବାୟୋମେଟ୍ରିକ ଓ ଅନ୍ୟଟି ବ୍ୟକ୍ତିଗତ ସୂଚନା । ଏହି ଦୁଇ ସୂଚନା ଯଦିଓ ୟୁଆଇଏଆଇ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଏ କିନ୍ତୁ ରାଜ୍ୟ ସ୍ତରରେ ବିଭିନ୍ନ ଆବଶ୍ୟକତା ପାଇଁ କର୍ତ୍ତୃପକ୍ଷ ବ୍ୟକ୍ତିଗତ ସୂଚନାକୁ ରାଜ୍ୟ ସରକାରମାନଙ୍କୁ ପ୍ରଦାନ କରିଥାନ୍ତି । ଦେଶର ପ୍ରତ୍ୟେକ ରାଜ୍ୟକୁ ଏହି ଡାଟା ଦିଆଯାଇଥାଏ । ସେହି ଅନୁଯାୟୀ ରାଜ୍ୟବାସୀଙ୍କର ବ୍ୟକ୍ତିଗତ ସୂଚନା ଓଡିଶା ସରକାରଙ୍କୁ ଦିଆଯାଇଥିଲା । ଏହାର ରକ୍ଷଣା ବେକ୍ଷଣ ଦାୟିତ୍ବ ହେଉଛି ରାଜ୍ୟ ସରକାରଙ୍କର ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ଅତି ସୁରକ୍ଷିତ ଭାବେ ରଖିବାପାଇଁ ଗୋଟିଏ ସଫ୍ଟୱେର ତିଆରି ହୋଇଥିଲା । ଗୋଟିଏ ଘରୋଇ ସଂସ୍ଥା ଏହା ପ୍ରସ୍ତୁତ କରିଥିବାବେଳେ ତାହା ମାଧ୍ୟମରେ ଷ୍ଟେଟ୍‍ ଡାଟା ସେଣ୍ଟରରେ ସମସ୍ତଙ୍କ ଗୁପ୍ତ ସୂଚନା ମହଜୁଦ ଥିଲା । ହେଲେ ହ୍ୟାକରମାନେ ଏହାକୁ ଅତି ସହଜରେ ଉଡାଇ ନେଇଛନ୍ତି । ବିଶ୍ବସ୍ତ ସୂଚନା ଅନୁଯାୟୀ ସମ୍ପୃକ୍ତ ଘରୋଇ ସଂସ୍ଥା ପ୍ରସ୍ତୁତ କରିଥିବା ସଫ୍ଟୱେରରେ ତ୍ରୁଟି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ରାଜ୍ୟ ଆଇଟି ବିଭାଗ ଓ ଓକାକ୍‍ର କିଛି ଅଫିସରଙ୍କର ଏହି ଘରୋଇ ସଂସ୍ଥା ସହିତ ମଧୁଚନ୍ଦ୍ରିକା ଚାଲିଥିବାରୁ ପ୍ରାୟ ବର୍ଷେ ହେଲା ଏଭଳି ମହା ଗୁରୁତର ଘଟଣାକୁ ଚାପି ରଖିଥିଲେ । ଏପରିକି ରାଜ୍ୟ ଗୃହ ବିଭାଗକୁ ବି ଅନ୍ଧାରରେ ରଖିଥିଲେ । ହେଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଜଣାଇଲା ପରେ ତନାଘନା ପ୍ରକାଶ ପାଇଛି । ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ଏବେ ଓକାକ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିବାବେଳେ ଷ୍ଟେଟ୍‍ ଡାଟା ସେଣ୍ଟରଟି ଓକାକ୍‍ ଅଧିନରେ ରହିଛି । କିଛି ଓଏଏସ୍‍ ଅଫିସର ବି ଦୀର୍ଘଦିନ ହେଲା ଡେପୁଟସନରେ ଓକାକକୁ ଆସି ଗାଦିମାଡି ବସିଥିବା ଓ ସେମାନଙ୍କର ପଇସାଟିଏର ଆଇଟି ଜ୍ଞାନ ନଥିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି । ତେବେ ସିଏ ଯାହା ହେଉନା କାହିଁକି କୋଟି କୋଟି ଓଡିଆଙ୍କ ବ୍ୟକ୍ତିଗତ ସୂଚନା ଏବେ ହ୍ୟାକରଙ୍କ ହାତରୁ ବେସରକାରୀ ସଂସ୍ଥା ଓ କିଛି ବେପାରୀଙ୍କ ହାତକୁ ଚାଲି ଯାଇଥିବବୋଲି ଆଇଟି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।