Odia News Portal

ପୁଣି ବଢିଲା ଡାଲି ଦର

ପୁଣି ବଢ଼ିଲା ଡାଲି ଦର। ବୁଟ ଡାଲିକୁ ବାଦ ଦେଲେ ହରଡ଼, ମୁଗ ଓ ବିରି ଡାଲି ୮୦ ଟଙ୍କାକୁ ଟପିଯାଇଛି। ପାଇକାରୀ ଦର ୮୦ ଟଙ୍କା ଛୁଇଁଥିବାବେଳେ ଖୁଚୁରା ବଜାରରେ ୮୪/୮୫ ଟଙ୍କା ହୋଇଯାଇଛି। ଅମଳ ଋତୁ ଆରମ୍ଭ ହୋଇଯାଇଥିବାରୁ ଦର କମିବା କଥା। ମାତ୍ର ଅମଳ ପ୍ରଭାବ ଶୂନ। ମାସକ ଭିତରେ ଦୁଇ ଦୁଇ ଥର ବଢ଼ିଲାଣି ଡାଲି ଦର। ଆଗକୁ ଆହୁରି ବଢ଼ିବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ଫଳରେ ଖାଉଟି ମହଲରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ନଭେମ୍ବର ମାସ ଆରମ୍ଭରେ ପାଇକାରୀ ବଜାରରେ ହରଡ଼ ଡାଲି ମାନ ଅନୁସାରେ ୫୨ ଟଙ୍କାରୁ ୬୦ ଟଙ୍କା ହିସାବରେ ମିଳୁଥିଲା। ସେହିଭଳି ମୁଗ ୫୮ ଟଙ୍କାରୁ ୬୫ ଟଙ୍କା ଓ ବିରି ଡାଲି ୪୭ ଟଙ୍କାରୁ ୬୨ ଟଙ୍କା ଦରରେ ବିକ୍ରି ହେଉଥିଲା। ଖୁଚୁରା ବଜାରରେ ହରଡ଼, ମୁଗ ଓ ବିରି ଡାଲି ଦର ଯଥାକ୍ରମେ ୬୫, ୬୮ ଓ ୬୫ ଟଙ୍କା ଥିଲା। କିନ୍ତୁ ନଭେମ୍ବର ୧୦ ତାରିଖ ପରେ ଦର ବୃଦ୍ଧି ଘଟିଲା।
କ୍ବିଣ୍ଟାଲ ପିଛା ପ୍ରାୟ ୧୫ ଶହ ଟଙ୍କା ବଢ଼ିଗଲା। ଫଳରେ ଖୁଚୁରା ବଜାରରେ ହରଡ଼ ଡାଲି ୭୨ ଟଙ୍କାକୁ ଛୁଇଁଯିବାବେଳେ ମୁଗ ଓ ବିରି ଡାଲି ଦର ୭୫ ଟଙ୍କାକୁ ଟପି ଯାଇଥିଲା। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଡାଲି କିଣାବେଳେ ଚାଷୀଙ୍କୁ ଏମଏସପି ବାବଦରେ ଅଧିକ ଟଙ୍କା ପ୍ରଦାନ କରାଯିବାରୁ ଦର ଏଭଳି ବୃଦ୍ଧି ପାଇଥିଲା ବୋଲି କୁହାଗଲା। ତେବେ ଏହି ଦରବୃଦ୍ଧି ପୁଣି ଖସି ଆସିବ ବୋଲି ବ୍ୟବସାୟୀ ମହଲ ଆଶା କରିଥିଲା। କିନ୍ତୁ ଗତ ଦୁଇ ଦିନ ହେଲା ପୁଣି ପାଇକାରୀ ବଜାରରେ ଡାଲି ତାତି ଦେଖିବାକୁ ମିଳିଛି।