ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା।
କ୍ଷମତାଠାରୁ ଡଙ୍ଗାରେ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡଙ୍ଗାର କ୍ଷମତା ୧୦ ଥିବା ବେଳେ ୫୫ ଜଣ ସେଥିରେ ଯାଇଥିଲେ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ତିନି ଜଣ ଥିବା ଜଣାପଡ଼ିଛି। ଏହି ପରିବାରର ଜଣେ ମହିଳା ଓ ତାଙ୍କ ଦୁଇ ଛୁଆଙ୍କ ମୃତ୍ୟୁ ଘଟିଛି।
କେନ୍ଦ୍ରାପଡ଼ା ଏସ୍ପି ନୀତିଶେଖର କହିଛନ୍ତି, ଏମାନେ ସମସ୍ତେ ପିକ୍ନିକ୍ କରିବାକୁ ଗଲା ବେଳେ ଦୁଇଟି ଡଙ୍ଗାରେ ଯାଇଥିଲେ। ତେବେ ଗୋଟିଏ ଡଙ୍ଗାରେ ଫେରିଥିଲେ। ଡଙ୍ଗାଟି ବଡ଼ ନୁହେଁ। ଅତିବେଶୀରେ ସେଥିରେ ୧୦ ଜଣ ବସିବା କଥା। ତେବେ କେଉଁଭଳି ପରିସ୍ଥିତିରେ ଏତେ ଲୋକ ସେଥିରେ ଆସିଲେ, ତା’ର ତଦନ୍ତ କରାଯିବ।
ଡଙ୍ଗା ବୁଡ଼ିବା ନେଇ ଖବର ମିଳିବା ମାତ୍ରେ ସ୍ଥାନୀୟ ଲୋକ ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଥିଲେ। ପରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ କୋଷ୍ଟଗାର୍ଡ ଟିମ୍ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ରହିଛି ଉଦ୍ଧାର କାର୍ୟ୍ୟ ତଦାରଖ କରିଥିଲେ।
ସ୍ଥାନୀୟ ଲୋକେ ପାଣିରୁ ଉଦ୍ଧାର ହୋଇଥିବା ଲୋକଙ୍କୁ ପୋଷାକ ଦେବା ସହିତ ଶୀତରୁ ରକ୍ଷା ପାଇବା ପାଇଁ ସଙ୍ଗେ ସଙ୍ଗେ ନିଆଁର ବ୍ୟବସ୍ଥା ମଧ୍ୟ କରିଥିଲେ।
ଏହି ଡଙ୍ଗାବୁଡ଼ି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍ତି। ଏହା ସହିତ ଯେଉଁମାନେ ଅସୁସ୍ଥ ବା ଆହତ ହୋଇଛନ୍ତି, ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.