ଧାମନଗର ଉପନିର୍ବାଚନରେ ୨,୩୮,୩୬୦ ଭୋଟର୍ ୨୫୨ ବୁଥ୍ରେ ସେମାନଙ୍କ ମତଦାନ କରିବେ । ସେଥିପାଇଁ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହେବ । ଉପନିର୍ବାଚନ ପାଇଁ ପର୍ଯ୍ୟାପ୍ତ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍ ମହଜୁଦ୍ ରହିଛି । ବର୍ତ୍ତମାନ ସୁଦ୍ଧା ୫୦୪ଟି ବାଲାଟ୍ ୟୁନିଟ୍, ୫୦୪ଟି କଣ୍ଟ୍ରୋଲ ୟୁନିଟ୍ ଓ ୫୦୪ଟି ଭିଭିପ୍ୟାଟ୍ ଜିଲ୍ଲା ପ୍ରଶାସନ ନିକଟରେ ମହଜୁଦ୍ ଅଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।
ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉପନିର୍ବାଚନ ଘୋଷଣା ଦିନଠାରୁ ଅର୍ଥାତ୍ ଅକ୍ଟୋବର ୩ରୁ ଭଦ୍ରକ ଜିଲ୍ଲା ସହ ସମଗ୍ର ବିଧାନସଭା ମଣ୍ଡଳୀରେ ସମସ୍ତ ପ୍ରାର୍ଥୀ, ସବୁ ରାଜନୈତିକ ଦଳ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧପ୍ରବଣ ସଂପର୍କରେ ଅତିକମ୍ରେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ତିନିଥର ଖବର କାଗଜ ଓ ଟିଭି ମାଧ୍ୟମରେ ପ୍ରଚାରପ୍ରସାର କରାଇବେ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଅକ୍ଟୋବର ପହିଲା ସୁଦ୍ଧା ସମୁଦାୟ ଭୋଟର୍ଙ୍କ ସଂଖ୍ୟା ହେଉଛି ୨,୩୮,୩୬୦ । ତନ୍ମଧ୍ୟରେ ୧,୨୩,୦୧୩ ପୁରୁଷ ଭୋଟର୍ ଓ ୧,୧୫,୩୧୪ ଜଣ ମହିଳା ଭୋଟର୍ । ସେହିପରି ୩୩ ତୃତୀୟ ଲିଙ୍ଗୀ ଭୋଟର୍ ଥିବାବେଳେ ୪୯୫୬ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ୨୫୩୩ ପୁରୁଷ ଓ ୨୪୨୩ ମହିଳା ଭୋଟର୍ ଅଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସଂଖ୍ୟା ୭୨୦୬ । ସେମାନଙ୍କ ମଧ୍ୟରୁ ୩୪୯୫ ପୁରୁଷ ଓ ୩୭୧୧ ମହିଳା ଭୋଟର୍ ଅଛନ୍ତି । ନିର୍ବାଚନ ମଣ୍ଡଳୀରେ ସର୍ଭିସ୍ ଭୋଟର୍ଙ୍କ ସଂଖ୍ୟା ହେଉଛି ୪୫୬ । ଗତ ଜାନୁଆରୀ-୨୦୨୨ରେ ପ୍ରକାଶ ହୋଇଥିବା ଚୂଡ଼ାନ୍ତ ଭୋଟର୍ ତାଲିକା ଏବେ ମଧ୍ୟ ନବୀକରଣ ହେଉଛି ।
ଶ୍ରୀ ଲୋହାନୀ କହିଛନ୍ତି ଯେ ଧାମନଗର ଉପନିର୍ବାଚନ ନେଇ ଆଜିଠାରୁ ବିଧିବଦ୍ଧ ଗେଜେଟ୍ ନୋଟିଫିକେସନ୍ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୪ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୫ରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଓ ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ । ନଭେମ୍ବର ୩ରେ ମତଦାନ ସହ ୬ରେ ଭୋଟ୍ଗଣତି କରାଯିବ । ୮ ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।
ଉପନିର୍ବାଚନ ସମୟରେ ଯଦି କୋଭିଡ୍-୧୯ର ପ୍ରଭାବ ଥାଏ, ତାହାହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯିବ । ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟର୍ ଯେଉଁମାନେ ଘରେ ରହି ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଉପନିର୍ବାଚନରେ ମତଦାନ କରିବାକୁ ଚାହିଁବେ ସେମାନେ ପ୍ରଥମେ ୧୨(ଘ) ଫର୍ମ ପୂରଣ କରି ସଂପୃକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଦାନ କରିବେ । ସେମାନଙ୍କ ଲାଗି ରିଟର୍ଣ୍ଣିଂ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରି ଭୋଟର୍ ତାଲିକାରେ ଚିହ୍ନଟ କରିବେ । ପରେ ପରେ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ଯୋଗାଇ ଦିଆଯିବ । ସେମାନେ ଘରେ ରହି ମତଦାନ କରିସାରିବା ପରେ ଉପନିର୍ବାଚନ ଧାର୍ଯ୍ୟ ତାରିଖ ପୂର୍ବରୁ ପୋଷ୍ଟାଲଗୁଡ଼ିକୁ ସଂଗ୍ରହ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳିରେ ଥିବା ଯେଉଁ ଯୋଗ୍ୟ ଭୋଟର୍ଙ୍କ ନାମ ଭୋଟର୍ ତାଲିକାରେ ନାହିଁ ସେମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ୍ ଅକ୍ଟୋବର ୧୪ ତାରିଖ ସୁଦ୍ଧା ଭୋଟର୍ ତାଲିକାରେ ନାମ ଦରଜ କରିପାରିବେ । ସେଥିପାଇଁ ସେମାନେ ବିଧିବଦ୍ଧ ଆବେଦନ କରିବା ସହ ତଥ୍ୟ ସଂଶୋଧନ ପାଇଁ ନିବେଦନ କରିପାରିବେ । ସେମାନଙ୍କ ନାମ ତାଲିକାଭୁକ୍ତ ହୋଇପାରିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି ।