Odia News Portal

ଧାମନଗର ଉପନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ

ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଟିକେଟ୍ ନପାଇ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ନିଜ ସ୍ୱଳ୍ପ ସଂଖ୍ୟକ ସମର୍ଥକ ଓ ପରିବାର ଲୋକଙ୍କ ସହ ବାଇପାସ ସ୍ଥିତ ବସଭାବନରୁ ପଦଯାତ୍ରାରେ ଆସି ରିଟର୍ନିଂ ଅଧିକାରୀଙ୍କ ନିକଟରେ ଦୁଇ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ରାଜୁଙ୍କ ବିଦ୍ରୋହୀ ଭୂମିକା ଏବେ ବିଜେଡି ନେତୃତ୍ୱଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ତଥାପି ରାଜୁଙ୍କ ମାନଭଞ୍ଜନ ପାଇଁ ଏବେ ମଧ୍ୟ ଦଳ ପକ୍ଷରୁ ଉଦ୍ୟମ ଜାରିଥିବା ସୂଚନା ମିଳିଛି। ଅପରପକ୍ଷେ ଏନେଇ ରାଜେନ୍ଦ୍ର ଦାସ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ଘର ଘର ବୁଲି ସଂଗଠନ କରିଛି। କିଛି ଚକ୍ରାନ୍ତକାରୀଙ୍କ ଶିକାର ହୋଇଛି। ମୋ ସମର୍ଥକଙ୍କ ଆଗ୍ରହ କ୍ରମେ ପ୍ରାର୍ଥୀପତ୍ର ଦାଖଲ କରିଛି।

ସୂଚନା ଥାଉକି, ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର । ତେବେ ରାଜେନ୍ଦ୍ରଙ୍କୁ ମନାଇବାକୁ ସେଠାରେ ଅନେକ ହେବିଓ୍ୱେଟ ନେତା ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ । ହେଲେ ରାଜେନ୍ଦ୍ର ସେମାନଙ୍କ କଥାରେ ରାଜି ନହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ନିରାଡ଼ମ୍ଵର ଭାବେ ଶୋଭଯାତ୍ରାରେ ଯାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେପଟେ ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଦାଖଲ କରିବେ ନିଜର ପ୍ରାର୍ଥିପତ୍ର । ଆଗକୁ ଧାମନଗର ଉପନିର୍ବାଚନ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ।