Odia News Portal

‘ସଞ୍ଜୁ’ ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ବିରୋଧରେ ‘ମି ଠୁ’ ଅଭିଯୋଗ

ମୁମ୍ବାଇ : କିଛି ଦିନ ବ୍ୟବଧାନରେ ପୁଣି ଫେରିଛି ‘ମି ଠୁ’ ଅଭିଯୋଗ । ଏଥର ଫସିଛନ୍ତି ଜଣାଶୁଣା ବଲିଉଡ୍‌ ନିର୍ଦ୍ଦେଶକ ରାଜକୁମାର ହାରାନି । ତାଙ୍କ ବିରୋଧରେ ତାଙ୍କର ଜଣେ ମହିଳା ସହକାରୀ ଏଭଳି ଅଭିଯୋଗ ଆଣିଛନ୍ତି ।

ମୁନ୍ନାଭାଇ ସିରିଜ୍‌, ପିକେ, ସଞ୍ଜୁ ଭଳି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାଜକୁମାର ହିରାନି । ସଞ୍ଜୁ ଫିଲ୍ମର ପୋଷ୍ଟ ପ୍ରଡକସନ୍‌ କାମ ବେଳେ ଗତ ମାର୍ଚ୍ଚରୁ ସେପଟେମ୍ବର ଭିତରେ ତାଙ୍କୁ ହିରାନି ଯୌନ ନିର୍ଯାତନା ଦେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରି ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା, ତାଙ୍କ ପତ୍ନୀ ଏବଂ କାହାଣୀ ଲେଖିଥିବା ଅଭିଜିତ ଯୋଶୀଙ୍କ ନିକଟକୁ ଅଭିଯୋଗ ପଠାଇଛନ୍ତି । ଗତ ବର୍ଷ ଏପ୍ରିଲ ୯ ତାରିଖରେ ସେ ହିରାନିଙ୍କ ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ଲେଖିଛନ୍ତି । ଏହା ପରେ ସେ ଶାରୀରିକ ଓ ମାନସିକ ଭାବେ ଖୁବ ଚାପରେ ଅଛନ୍ତି ବୋଲି ଜଣାଇଛନ୍ତି । ଚାକିରି ଚାଲିଯିବା ଡରରେ ସେ ଘଟଣା ଘଟିବା ପରେ ପରେ କିଛି କହି ନଥିଲେ ବୋଲି ମଧ୍ୟ ମହିଳା ଜଣକ ଜଣାଇଛନ୍ତି ।

ତେବେ ହିରାନି ତାଙ୍କ ଓକିଲଙ୍କ ଜରିଆରେ ଏସବୁ ମିଥ୍ୟା ଅଭିଯୋଗ ବୋଲି ସ୍ପଷ୍ଟ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ସେ ରାଜି ଥିବା ଜଣାଇଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ ଅଭିଯୋଗ ପରେ ଚୋପ୍ରାଙ୍କ ନୂଆ ଫିଲ୍ମ ‘ଏକ ଲଡ଼କି କୋ ଦେଖା ତୋ ଐସା ଲଗା’ ଫିଲ୍ମରୁ ସହପ୍ରଯୋଜକ ଥିବା ହିରାନିଙ୍କ ନାମକୁ ବାଦ୍‌ ଦିଆଯାଇଛି ।