Odia News Portal

ଧାମନଗର ଉପନିର୍ବାଚନ: ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ, ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲାଟ

ଧାମନଗର ଉପନିର୍ବାଚନ ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେ ଆହୁରି କହିଛନ୍ତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ।

ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି। ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି। କାଉଣ୍ଟିଙ୍ଗ ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜରଭର ରହିବେ। ତେବେ ଧାମନଗର ଅଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ତାଙ୍କ ପାଖରେ କୌଣସି ଖବର ନ ଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।