ନୂଆଦିଲ୍ଲୀ: ଆପଣ ନିୟମିତ ବିମାନରେ ଯାତ୍ରା କରୁଛନ୍ତି କି ?ନିୟମିତ ନ ହେଲେ ବି ମଝିରେ ମଝିରେ ବିମାନରେ ଯା ଆସ କରୁଛନ୍ତି ?ତେବେ ଆପଣଙ୍କୁ ଆଉ ବିମାନ ବନ୍ଦରରେ ପ୍ରବେଶ ଲାଗି ଟିକେଟ୍ କିମ୍ବା ଆଇଡି ପ୍ରୁଫ୍(ପରିଚୟ ପତ୍ର) ଦେଖାଇବାକୁ ପଡ଼ିବ ନାହିଁ। ଏଣିକି ଆପଣଙ୍କ ମୁହଁ ହିଁ ଆପଣଙ୍କ ପରିଚୟ ହେବ। ଭାରତର ବିମାନ ବନ୍ଦର ଗୁଡ଼ିକ ଖୁବ୍ ଶୀଘ୍ର ହାଇ-ଟେକ୍ ହେବାକୁ ଯାଉଛି। ଏହି ପ୍ରଯୁକ୍ତିକୁ ଫେସିଆଲ୍ ରେକଗ୍ନିସନ୍ ବାୟୋମାଟ୍ରିକ ଫାସିଲିଟି କୁହାଯାଉଛି। ଏହି ଅତ୍ୟାଧୁନିକ ବ୍ୟବସ୍ଥା ସଫଳତାର ସହ ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ପରୀକ୍ଷିତ ହୋଇ ସାରିଛି। ଏହି ବିମାନ ବନ୍ଦରର କର୍ମଚାରୀଙ୍କୁ ନେଇ ଫେସିଆଲ୍ ରେକଗ୍ନିସନ୍ ଟେକୋଲୋଜିର ବ୍ୟବହାରର ପରୀକ୍ଷଣ ହୋଇଥିଲା। ଏହା ଆପାତତଃ ସଫଳ ହୋଇଛି। ଏ ନେଇ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷଣ ମାର୍ଚ୍ଚ ମାସରେ କରାଯିବ। ଏଥିଲାଗି ପ୍ରଥମେ ବିମାନ ବନ୍ଦରର କର୍ମଚାରୀ ଓ ଉକ୍ତ ବିମାନ ବନ୍ଦରରୁ ନିୟମିତ ଉଡାଣ କରୁଥିବା ବ୍ୟକ୍ତିଙ୍କର ଫଟୋ ସହ ସେମାନଙ୍କର ଯେ କୌଣସି ପରିଚୟ ପତ୍ରକୁ ଲିଙ୍କ୍ କରାଯାଇ ଡାଟାବେସ୍ ପ୍ରସ୍ତୁତ କରାଯାଇଥିଲା। ସେମାନଙ୍କ ଫଟୋ ସହ ଆଧାର ଡ୍ରାଇଭିଙ୍ଗ୍ ଲାଇସେନ୍ସ କିମ୍ବା ଭୋଟର ପରିଚୟ ପତ୍ର ଲିଙ୍କ୍ କରାଯାଇଥିଲା। ଏହାପରେ ସେମାନେ ଫେସ୍ ରିଡର ସାମ୍ନାକୁ ଯିବା ମାତ୍ରେ ବିମାନବନ୍ଦର ପ୍ରବେଶ ଦ୍ୱାରା ଖୋଲିଯାଇଥିଲା। ଏହି ବ୍ୟବସ୍ଥା ବିମାନ ବନ୍ଦରର ସୁରକ୍ଷାକୁ କଡାକଡି କରିବା ସହ ଜାଲ ପରିଚୟ ପତ୍ରର ବ୍ୟବହାରକୁ ମଧ୍ୟ ରୋକାଯାଇ ପାରିବ।
