Odia News Portal

ଭୁବନେଶ୍ୱରୀ ମୁକୁଟ ପିନ୍ଧିଲେ ମୁନ୍‌ମୁନ୍‌ ସିଂହ

ଭୁବନେଶ୍ୱର: ମଞ୍ଚ ଉପରେ ଚିକ୍‌ମିକ୍‌ ରଙ୍ଗୀନ ଆଲୋକ, ଶାସ୍ତ୍ରୀୟ ସୁମଧୁର ସଙ୍ଗୀତର ଧୂନ୍‌ ଆଉ ଧୂଆଁଳିଆ ପରିବେଶ ଭିତରେ ଜଣକ ପରେ ଜଣେ ସୁନ୍ଦରୀମାନେ ଆବିର୍ଭାବ ହେଉଥିଲେ। ପ୍ରତ୍ୟେକଙ୍କ ଚେହେରାରେ ଚମକ୍‌ ଆଉ ଆଖିରେ ଥିଲା ଅଗଲ ଚଗଲ ଇସାରା। କିଏ ଗଜଗମନୀ ତ ଆଉ କିଏ ସୁନାହରିଣୀ ପରି ଢଳି ଢଳି ଚାଲୁଥିଲେ। ଏମାନଙ୍କୁ ଦେଖି ମଞ୍ଚ ସାମ୍ନାରେ ବସିଥିବା ଦେଖଣାହାରୀଙ୍କ ଆଖି, ମନ ବି ଶିହରି ଉଠୁଥିଲା। ସ୍ୱାମୀ, ସନ୍ତାନ ଓ ଶାଶୂ-ଶ୍ୱଶୁରଙ୍କ ସେବା କରୁ କରୁ ନାରୀଟିଏ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ହଜେଇ ବସନ୍ତି।

ହେଲେ ଅମ୍ବିକା ଫାଉଣ୍ଡେସନ ପକ୍ଷରୁ ବିବାହିତା ନାରୀମାନଙ୍କୁ ନେଇ ଆୟୋଜିତ ହୋଇଥିଲା ‘ଶ୍ରୀମତୀ ଭୁବନେଶ୍ୱରୀ’ ପ୍ରତିଯୋଗିତା। ସେମିଫାଇନାଲ ରାଉଣ୍ଡର ସମସ୍ତ ପ୍ରତିଯୋଗୀ ଉତ୍କଳ ମଣ୍ଡପ ବର୍ଣ୍ଣାଢ୍ୟ ମଞ୍ଚରେ ପାରମ୍ପରିକ ଓ ଆଧୁନିକ ପୋଷାକରେ ଜଣକ ପରେ ଜଣେ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହାପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ସାତଜଣ ପ୍ରତିଯୋଗୀଙ୍କୁ ବିଚାରକମାନେ ‘ନାରୀତ୍ୱ କହିଲେ କ’ଣ ବୁଝ’, ‘ଗୋଟିଏ ଘଟଣାକୁ ଅଭିନୟ କରି ଦେଖାଅ ’ ଏବଂ ‘ସାମ୍ପ୍ରତିକ ବିଷୟକୁ ନେଇ ସାଧାରଣଜ୍ଞାନ’ ସମ୍ପର୍କୀୟ ପ୍ରଶ୍ନ କରିଥିଲେ।