Odia News Portal

ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ ଅନୁଭବ

ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ ଅନୁଭବ ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମାଣ ଚଳଚ୍ଚିତ୍ରକୁ ନେଇ ଏକ ବୃହତ ଘୋଷଣା କରାଯାଇଛି । କଟକ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ୍ ପଡ଼ିଆରେ ୫୦୦୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଉପସ୍ଥିତ ଥିବା ଏହି ସଭାରେ ଉକ୍ତ ଘୋଷଣା କରାଯାଇଛି । ଏହା ସହିତ ସିନେମାଟିର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ଭୂମିପୁତ୍ର ତଥା ପୂର୍ବତନ ମୂଖ୍ୟ ମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାର କରି ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, ଯାହାର ନାମ ରଖାଯାଇଛି ‘ବିଜୁବାବୁ’ ।

ସୁପରଷ୍ଟାର ଅନୁଭବ ମହାନ୍ତି ଏଥିରେ ପ୍ରମୂଖ ଭୂମିକାରେ ନଜରରେ ଆସୁଥିବାବେଳେ ଏଥିରେ ବିଶାଳ ମୋର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି । ଡଃ ନୀଳମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ଏପ୍ରିଲ ୧ ସୁଦ୍ଧା ମୁକ୍ତି ଲାଭ କରିବାର ଯୋଜନା ରହିଛି । ଏଥିରେ ମାନବ ରଥ, ଅନୁଜ ତ୍ୟାଗୀ, ବର୍ଣ୍ଣାଳୀ ରଥ ପ୍ରମୂଖ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଏହାର ସଂଗୀତଗୁଡ଼ିକୁ ସଜ୍ଜାଉଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ତେବେ ଚଳଚ୍ଚିତ୍ରଟି ନାୟିକାଙ୍କୁ ଏପର୍ଯ୍ୟନ୍ତ ଚୟନ କରାଯାଇ ନାହିଁ, କିନ୍ତୁ ଖୁବ୍ ଶୀଘ୍ର ଚୟନ କାର୍ଯ୍ୟ ଶେଷ ହେଉଛି ।ସିନେ ପ୍ରଯୋଜକ ପ୍ରଶାନ୍ତ ପରିଜା ଏହି ଅବସରରେ ପ୍ରକାଶ କରିଛନ୍ତି ଯେ, “ବିଜୁବାବୁ ହେଉଛନ୍ତି ଓଡ଼ିଶାର ଜଣେ କିମ୍ବଦନ୍ତୀ ପୁରୁଷ । ଏହି ଚଳଚ୍ଚିତ୍ର ମାଧ୍ୟମରେ ବିଜୁବାବୁଙ୍କ ଆଦର୍ଶ, ମହାନତା, ନିର୍ଭିକତା ଆଦି ପ୍ରତିଫଳିତ ହେବ । ଓଡ଼ିଶାବାସୀମାନେ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାଣିବାକୁ ପାଇବେ । ଆମେ ଆଶା କରୁଛୁ ଯେ, ଆଜିର ଯୁବପିଢ଼ିଙ୍କୁ ଏହି ଚଳଚ୍ଚିତ୍ର ଖୁବ୍ ପ୍ରେରଣା ଯୋଗାଇବ ।”