Odia News Portal

ଯାଜପୁରରେ ଚାଲିଛି ଜାଲ ନୋଟ୍‌ କାରବାର !

ଯାଜପୁର ଟାଉନ୍‌: ଯାଜପୁରରେ ଚାଲିଛି ଜାଲ ନୋଟ୍‌ କାରବାର । ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ସଂପୃକ୍ତ ଅଛନ୍ତି ଜଣେ ମହିଳା । ଗତକାଲି ଏହି ମହିଳାଙ୍କ ଠାରୁ ୧୬ ହଜାର ଟଙ୍କା ନକଲି ନୋଟ ଜବତ ହେବା ପରେ ପୋଲିସର ଚିନ୍ତା ବଢ଼ିଯାଇଛି । ପୋଲିସ ଆଜି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି । ମହିଳାଙ୍କ ଘର ବିଂଝାରପୁର ଥାନା ବରପଦା ଗାଁରେ । ତାଙ୍କ ନାଁ ଲୁସି ପରିଡା । ଲୁସି ଗତକାଲି ଅଠର ନଳା ନିକଟରେ ଥିବା ଏକ ଦୋକାନରୁ ଜିନିଷ କିଣି ୨ ହଜାର ଟଙ୍କିଆ ନୋଟ୍‌ ଦେଇଥିଲେ । ଏହି ନୋଟ୍‌ ନକଲି ଥିବା ଦୋକାନୀ ଜଣକ ଯାଞ୍ଚ କରି ସନ୍ଦେହରେ ପଡ଼ିଗଲେ । ତେଣୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରା ଉଚୁରା କରିବା ପରେ ତାଙ୍କ ନିକଟରୁ ଆହୁରି ୭ଟି ନକଲି ୨ ହଜାର ଟଙ୍କିଆ ନୋଟ୍‌ ଜବତ କରିଥିଲା । ପରେ ମହିଳାଙ୍କୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା ।
ଏହି ନକଲି ନୋଟ୍‌ କାରବାର ସଂପର୍କରେ ପୋଲିସ ହାତରେ କିଛି ସୁରାକ ଲାଗିଛି ।

କାରବାରରେ ସଂପୃକ୍ତ ଥିବା ଜିଲ୍ଲା କିମ୍ବା ରାଜ୍ୟର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଯାଜପୁର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜାଲ୍‌ ନୋଟ୍‌ କାରବାର ପଛରେ ଥିବା ରାକେଟ୍‌କୁ ଖୋଜିବା ପାଇଁ ପୋଲିସ୍‌ ଉଦ୍ୟମ ଆରମ୍ଭ କରିଛି । ଏପଟେ ଅଭିଯୁକ୍ତ ମହିଳାଙ୍କୁ ରିମାଣ୍ଡରେ ଆଣି ପୋଲିସ୍‌ ଅଧିକ ପଚରା ଉଚରା କରିବ ବୋଲି ସୂଚନା ମିଳିଛି ।