Odia News Portal

କଂଗ୍ରେସକୁ ଆଉ ଏକ ଝଟ୍‌କା, ଦଳ ଛାଡ଼ିଲେ ବିଜେପୁର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  । ଦଳର କାର୍ଯ୍ୟାଧାରା ଉପରେ କ୍ଷୁବ୍ଧ ହୋଇ ଶ୍ରୀ ସାହୁ ଏଭଳି ନିଷ୍ପତି ନେଇଛନ୍ତି  । ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି  । ତେବେ ସେ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ସେ ବିଜେଡ଼ିରେ ସାମିଲ ହେବେବୋଲି ଚର୍ଚ୍ଚା ହେଉଛି  ।
ପ୍ରଣୟ କହିଛନ୍ତିଯେ, ଉପନିର୍ବାଚନରେ ଦଳ କାହିଁକି ପରାଜୟ ହେଲା ତାହାର ସମୀକ୍ଷା କରିବା ପାଇଁ ସେ କହିଥିଲେ  । କିନ୍ତୁ ତାହା କରାଗଲା ନାହିଁ  । କଂଗ୍ରେସ ପୁନର୍ବିନ୍ୟାସରେ ତାଙ୍କର କୌଣସି ଭୂମିକା ରହିଲା ନାହିଁ  । ଅପରପକ୍ଷରେ ସେ କଂଗ୍ରେସ ଛାଡ଼ିବା ପରେ ବିଜେଡ଼ିରେ ଯୋଗଦେବେ କି ବୋଲି ପ୍ରଶ୍ନ କରାଯାଇଥିଲା  । ଏହାର ଉତରରେ ପ୍ରଣୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିନଥିଲେ  । ବରଂ କିଛି ନିଷ୍ପତି ନେଇନାହିଁ, ଆଜି ନିଷ୍ପତି ହେବବୋଲି କହିଛନ୍ତି  । ତେବେ ବିଜେଡ଼ିରେ ସାମିଲ ହେବା ପାଇଁ ତାଙ୍କୁ ଅଫର ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି  ।
ବିଜେପୁର ହାଇଭୋଲଟେଜ ଉପନିର୍ବାଚନରେ କଂଗ୍ରେସ ପ୍ରଣୟଙ୍କୁ ପ୍ରାର୍ଥୀ କରିଥିଲା  । ପ୍ରଣୟ ନିର୍ବାଚନରେ ମାତ୍ର ୧୦୨୭୪ ଭୋଟ ପାଇଥିଲେ  । ଗାଇସିଲଟ ବ୍ଲକରେ ତାଙ୍କର ବେଶ ପ୍ରଭାବ ଥିଲେ ମଧ୍ୟ ନବୀନଙ୍କ ଯାଦୁ ଆଗରେ ବିଜେପି ଓ କଂଗ୍ରେସର ରଣନୀତି ଫେଲ ମାରିଥିଲା  । ସେହି ନିର୍ବାଚନରେ ବିଜେଡ଼ି ୪୨ ହଜାର ଭୋଟରେ ବାଜିମାତ କରିଥିଲା  ।