Odia News Portal

ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର: ପାହାଡ଼ି ମାଟିର ମହକରେ ମହକିଲାଣି ରାଜଧାନୀ । ଗୋବର ଓ ଭିଜା ନାଲି ମାଟିରେ ଲିପା ହେଲାଣି ଘରର କାନ୍ଥ । ରଙ୍ଗ ବେରଙ୍ଗର ଚିତ୍ରରେ ସୁନ୍ଦର ଦିଶୁଛି ନୁଆଁଣିଆ ଚାଳ ଛପର ଘରସବୁ । ତଳି ପଡ଼ିିବା ପାଇଁ ପ୍ରସ୍ତୁତ କରାଗଲାଣି ଘର ଅଗଣା ଆଗ ଜମି । କାରଣ ସହରରେ ମେଳି ବାନ୍ଧିଲେଣି ବନବାସୀ । ବଣ, ପାହାଡ଼ ଛାଡି ସେମାନେ ଏବେ ଡେରା ପକାଇଛନ୍ତି ରାଜଧାନୀରେ ।
୨୬ ତାରିଖରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ସେଥିପାଇଁ ଆସୁ ଆସୁ ତôପରତାର ଦେଖାଇଲେଣି ଏମାନେ । ବସା ତିଆରି ଆରମ୍ଭ କଲେଣି । ପିଲାଠୁ ବୁଢ଼ା ସଭିଏଁ ଏକାଠି ହୋଇ ସକାଳ ୭ରୁ ସନ୍ଧ୍ୟା ୬ଯାଏଁ କାମ କରୁଛନ୍ତି । କିଏ ପାଦରେ ମାଟି ଚକଟୁଛି ତ ଆଉ କିଏ କାନ୍ଥରେ ମାଟି ଛାଟୁଚି । ଆଉ କିଏ ଘର ଉପରେ ବସି ଛଣ ଛପର ଏବଂ ଟାଇଲ୍‌ ପକାଇବାରେ ଲାଗିଛି । ଚଳିତବର୍ଷ ଆଦିବାସୀ ମେଳାରେ ୨୫ଟି ଜନଜାତିଙ୍କ ଘର ଦେଖଣାହାରୀଙ୍କୁ ଆକୃଷ୍ଟ କରିବ । ବିଶେଷ କରି ହୋ, ସଉରା, କୁଟିଆ, ମାଟିଆ, ଓରାମ୍‍, ମୁଣ୍ଡା, ଖଡ଼ିଆ, କିଷାନ, ସାଉଥି, ପାଉଡ଼ି ଭୂୟାଁ ପ୍ରମୁଖଙ୍କ ଘର ଏବର୍ଷ ମେଳାର ଆକର୍ଷଣ ସାଜିବ ।
ଆଦିବାସୀ ମେଳା ପାଇଁ ଏବେଠୁ ମଞ୍ଚ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାଛଡା ଆଦିବାସୀ ଗାଁ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଅନୁସୂଚିତ ଜାତି ଓ ଜନଜାତ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଆଦିବାସୀ ମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପରିବେଶ । କିଛିଦିନ ପାଇଁ ରାଜଧାନୀ ପାଲଟିଯିବ ଆଦିମ ଜନଜାତିଙ୍କ ବାସସ୍ଥଳୀ । ସନ୍ଧ୍ୟାରେ ଏକାଠି ହୋଇ ନାଚଗୀତ କରିବେ ଆଉ ଖୁସି ବାଣ୍ଟିବେ । ଆଦିବାସୀମାନଙ୍କର ଜୀବନ, ଜୀବିକା ଓ ପ୍ରାଚୀନ କଳା ଓ ସଂସ୍କୃତିର ସ୍ୱତନ୍ତ୍ରତାକୁ ମେଳାରେ ପ୍ରଦର୍ଶିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆଧୁନିକତା ଓ ପ୍ରଗତିର ମହାସ୍ରୋତରେ ସାମିଲ କରିବା ଊଦ୍ଦେଶ୍ୟରେ ଆୟୋଜିତ ହେଉଥିବା ଏହି ମେଳାରେ ଚଳିତ ବର୍ଷ ଖାଦ୍ୟମେଳା ଓ ବିଭିନ୍ନ ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା ମଧ୍ୟ କରାଯିବ ।
ଆଦିବାସୀ ସାମଗ୍ରୀ ବିକ୍ରିବଟା ପାଇଁ ସ୍ୱତନ୍ତ୍ର ଷ୍ଟଲ୍‌ ରହିବ । ଆଇଟିଡ଼ିଏ ଓ ମାଇକ୍ରୋପ୍ରୋଜେକ୍ଟ ଷ୍ଟଲ୍‍ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ବିଭିନ୍ନ ସରକାରୀ, ବେସରକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଂଶଗ୍ରହଣ କରିବେ । ଏଠାରେ ଜଙ୍ଗଲ ଜାତ ଖାଣ୍ଟି ସାମଗ୍ରୀ ବିକ୍ରିବଟା ହେବ । ଏଥିପାଇଁ ପିଣ୍ଡି ବ୍ୟବସ୍ଥା ହୋଇଛି । ହଳଦୀ, ମାଣ୍ଡିଆ, ମୁଗ, ବିରି, ବାସ୍ନା ଚାଉଳ, ମହୁ, ଝୁଣା, ଝାଡୁ, ପାଳୁଅ ଆଦି ସୁଲଭ ଦରରେ ମିଳିବ । ସେହିପରି ଆଦିବାସୀ ଖାଦ୍ୟ ମେଳାରେ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡଆ ପିଠା, କାଙ୍ଗୁ ଖିରି, କନ୍ଦା ସିଝା, ଶୁଆଁ ଖିରି ଓ ମୁଢ଼ି ମାଂସ ବିକ୍ରି ହେବ ।