ପୁରୀ: ଆଜି ପୁରୀ ଜିଲ୍ଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ଏକ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକ୍ରୁ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହାସହ ସମାବେଶରେ ଯୋଗଦେବାକୁ ଆସିଥିବା
ଚାଷୀମାନଙ୍କୁ ଶ୍ରୀମନ୍ଦିର ନେଇ କାଳିଆ ଦର୍ଶନ କରାଇବା ସହ ବେଳାଭୂମି ବୁଲାଇବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି। ଲକ୍ଷାଧିକ ଚାଷୀଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ୫୦ପ୍ଲାଟୁନ ଫୋର୍ସ ସହ ୨୫୦ ଅଫିସରଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କାଳିଆ ଯୋଜନା ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି।