Odia News Portal

ସୁଶାନ୍ତଙ୍କ ମାମଲାରେ ପ୍ରଥମ ଥର ମୁହଁ ଖୋଲିଲେ ରିୟା

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ୪୫ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ରିୟା ସୋସିଆଲ ମିଡିଆରେ ଏକ ଛୋଟିଆ ଭିଡିଓ ପୋଷ୍ଟ କରି କହିଛନ୍ତି, ମାମଲା କୋର୍ଟରେ ରହିଛି ମୁଁ ଚୁପ୍ ଅଛି। ମୋତେ ନ୍ୟାୟ ବ୍ୟବସ୍ଥା ଉପରେ ଭରସା ରହିଛି। ସତ ସାମନାକୁ ଆସିବ ବୋଲି ଭରସା ରହିଛି। ସତ୍ୟମେବ ଜୟତେ।’ ରିୟା ସମ୍ପୂର୍ଣ୍ଣ ଘଟଣା ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ଏହି ଭିଡିଓ ଏଭଳି ସମୟରେ ଆସିଛି ଯେତେବେଳେ ସୁଶାନ୍ତଙ୍କ ବାପା କେକେ ସିଂ ଏହି ମାମଲାରେ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହା ପୂର୍ବରୁ ସୁଶାନ୍ତଙ୍କ ବାପା ବିହାରର ରାଜୀବ ନଗର ଥାନାରେ ବହୁ ଗମ୍ଭୀର ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି। ସେବେଠାରୁ ଏହି ମାମଲା ଗଣମାଧ୍ୟମରେ ଯୋର ଧରିଛି। ଉଲ୍ଲେଖନୀୟ ଯେ, ବାନ୍ଦ୍ରାରେ ଥିବା ସୁଶାନ୍ତଙ୍କ ଘରେ ରିୟା ଏବଂ ସେ  ଏକାଠି ଲିଭ୍ ଇନରେ ରହୁଥିଲେ। ସୁଶାନ୍ତଙ୍କ ମୃତ୍ୟୁର ୧ ସପ୍ତାହ ପୂର୍ବେ ଦୁହିଁଙ୍କ ଭିତରେ ଝଗଡା ଲାଗିବା କାରଣରୁ ରିୟା ତାଙ୍କ ଘରକୁ ଚାଲିଯାଇଥିଲେ। ଏହାପରେ ୧୪ ଜୁନରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା।

ରିୟାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆରରେ ସୁଶାନ୍ତଙ୍କ ବାପା ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ତାଙ୍କ ପରିବାରଠାରୁ ଦୂରେଇବାକୁ ରିୟା  ଚେଷ୍ଟା କରିଥିଲେ। ବାରମ୍ବାର ସୁଶାନ୍ତଙ୍କ ନମ୍ବର ବଦଳାଇ ଦେଇଥିଲେ ଯାହାଦ୍ବାରା, ସେ ତାଙ୍କର ପରିବାର ସହ କଥା ହୋଇପାରିନଥିଲେ, ସୁଶାନ୍ତଙ୍କ ଉପରେ ନଜର ରଖିବା ପାଇଁ ରିୟା ତାଙ୍କର ପୁରା ଷ୍ଟାଫଙ୍କୁ ବଦଳାଇ ଦେଇଥିଲେ। କାରଣ ରିୟାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା। ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଠକେଇ କରିବାକୁ ଚେଷ୍ଟା କରିଥିଲେ। ସୁଶାନ୍ତଙ୍କ ବାପା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରିୟା ତାଙ୍କ ପୁଅକୁ ଆତ୍ମହତ୍ୟା କରିବାକୁ ଉକସାଇଥିଲେ।

ଗଣମାଧ୍ୟମରେ ସୁଶାନ୍ତଙ୍କ ଡାକ୍ତରୀ ରିପୋର୍ଟ କରିବାର  ଧମକ ଦେଇ ରିୟା ତାଙ୍କୁ ବ୍ଲାକମେଲ କରୁଥିଲେ। ଏହା ମଧ୍ୟ କହୁଥିଲେ, ଯେ ଯଦି ମୋ କଥା ନଶୁଣିବ  ମୁଁ ଗଣମାଧ୍ୟମକୁ ଏହି ରିପୋର୍ଟ ଦେବି। ମୁଁ ସମସ୍ତଙ୍କୁ କହିବି ଯେ ତୁମେ ପାଗଳ। ତା’ପରେ କେହି ତୁମକୁ ଫିଲ୍ମରେ କାମ ଦେବେ ନାହିଁ ଏବଂ ତୁମର କ୍ୟାରିୟର ନଷ୍ଟ କରିଦେବି। ଏବେ ଏସବୁ ଭିତରେ ହଠାତ୍ ରିୟାଙ୍କ ଭିଡିଓ ସାମନାକୁ ଆସିଛି।