Odia News Portal

ଚିଲିକାରେ ପଡିଲାଣି ବିଦେଶୀ ପକ୍ଷୀଙ୍କ ପାଦ

କୁହାଯାଏ କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଅତିଥି ଆସି ଗଲେଣି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି ସୁନ୍ଦର କରିଛନ୍ତି ବିଦେଶାଗତ ରଙ୍ଗବେରଙ୍ଗର ପକ୍ଷୀ ।

ଶୀତ ଆସିଲା, ଅତିଥି ଆସିଲେ । କରୋନା କଟକଣା ନାହିଁ, କି ଲକଡାଉନ୍-ସଟଡାଉନର ପ୍ରଭାବ ନାହିଁ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚିଲିକାକୁ ଆସିଛନ୍ତି ବିଦେଶାଗତ ପକ୍ଷୀ । ନୀଳ ଆକାଶରେ ହଜାର ହଜାର କିଲୋମିଟର ଅତିକ୍ରମ କରି ନିଳାମ୍ବୁ ଚିଲିକାରେ ପହଞ୍ଚିଛନ୍ତି ପ୍ରାୟ ୨୦ରୁ ୨୨ହଜାର ପକ୍ଷୀ । ଅକ୍ଟୋବର ତୃତୀୟ ସପ୍ତାହରେ ସୁଦୂର ଅଷ୍ଟ୍ରେଲିଆ, କାଜାକିସ୍ଥାନ, ମାଙ୍ଗୋଲିଆ, ସୁଇଜରଲ୍ୟାଣ୍ଡ, ଲଦାଖ ଓ ଋଷ ଆଦି ବରଫାବୃତ ଦେଶରୁ ଏହି ପକ୍ଷୀମାନେ ଆସିଛନ୍ତି । ଚିଲିକାର ନଳବଣ ଓ ମଙ୍ଗଳାଯୋଡ଼ିରେ ଅଧିକ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଅତିଥିଙ୍କ ସୁରକ୍ଷା ପାଇଁ ୨୧ଟି ଟିମ୍ ଗଠନ କରାଯାଇଛି । ବାଲୁଗାଁ ବନ୍ୟପ୍ରାଣୀ ଅଧିନ ୫ଟି ରେଞ୍ଜ ବାଲୁଗାଁ, ଟାଙ୍ଗୀ, ଚିଲିକା, ସାତପଡ଼ା ଓ ରମ୍ଭା ଆଦି ଅଞ୍ଚଳରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଏହି ଟିମ୍ ଗୁଡିକ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମରେ ଜଣେ ବନପାଳ ସହିତ ୩ଜଣ ସୁରକ୍ଷାକର୍ମୀ ରହିଛନ୍ତି