Odia News Portal

ଆରମ୍ଭ ହେଲା ‘ମହାଭାରତ’ ଉପରେ ଫିଲ୍ମ ନିର୍ମାଣର ପ୍ରସ୍ତୁତି

ଭାରତୀୟ ପୌରାଣିକ କଥାବସ୍ତୁ ସବୁବେଳେ ଚଳଚ୍ଚିତ୍ର ନିର୍ମାତାଙ୍କ ଧ୍ୟାନ ଆକର୍ଷଣ କରିଆସୁଛି। ଏହି ପୌରାଣିକ ମହାକାବ୍ୟ ଉପରେ ଆଧାରିତ ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ସିରିଏଲ ସଫଳତାର କୀର୍ତ୍ତିମାନ ରଚିଛି। ମହାଭାରତ ସେଥି ମଧ୍ୟରୁ ଗୋଟିଏ, ଯାହା ଉପରେ ଅନେକ ସଫଳ ଧାରାବାହିକ ନିର୍ମାଣ ହୋଇସାରିଛି। ବର୍ତ୍ତମାନ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ନିର୍ମାତା ଫିରୋଜ ନାଡିଆଡୱାଲା ବି ମହାଭାରତ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ପ୍ରଥମ ପ୍ୟାନ୍ ୱାର୍ଲ୍ଡ ହିନ୍ଦୀ ଚଳଚ୍ଚିତ୍ର ହେବ, ଯାହାକୁ ଭାରତ ସମେତ ବିଶ୍ୱର ୨୦ଟି ଭାଷାରେ ରିଲିଜ୍‌ କରାଯିବ। ଏଥିରେ ୫ ଭାରତୀୟ ଭାଷା ସହିତ ୧୫ ବିଦେଶୀ ଭାଷା ସାମିଲ ହେବ।

କହି ରଖୁଛୁ, ଫିରୋଜ ଗତ ୧୩ ବର୍ଷ ହେବ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ତାଙ୍କର ଏକ ଭବ୍ୟ ପ୍ରୋଜେକ୍ଟ, ଯେଉଁଥିରେ ଷ୍ଟାର କାଷ୍ଟରେ କିଛି ଟପ୍‌ ଭାରତୀୟ ଅଭିନେତାମାନଙ୍କୁ ସାଇନ୍‌ କରାଯିବ। ସେପଟେ ଟେକ୍ନିକ୍‌ ଟିମ୍‌ରେ ଜଣାଶୁଣା ବିଦେଶୀ ନାମ ରହିବ। ଏହି ଫିଲ୍ମ ମାଧ୍ୟମରେ ଫିରୋଜ ଭାରତୀୟ ସଂସ୍କୃତି ଏବଂ ଭାବନାକୁ ପୂରା ବିଶ୍ୱରେ ପହଞ୍ଚାଇବାକୁ ଚାହୁଁଛନ୍ତି। ଫିଲ୍ମରେ ଆକ୍ସନ୍, ଭିଜୁଆଲ୍ ଇଫେକ୍ଟ ଏବଂ ବ୍ୟାକଗ୍ରାଉଣ୍ଡ ସ୍କୋର ଉପରେ ଓ୍ଵାର୍ଲ୍ଡ କ୍ଲାସ୍‌ କାମ କରାଯିବ। ଏଥିପାଇଁ ପଶ୍ଚିମବଙ୍ଗରୁ ଜଣାଶୁଣା କଳାକାରମାନଙ୍କୁ ନିଯୁକ୍ତ କରାଯିବ।

ଏହା ଏ ପର୍ଯ୍ୟନ୍ତର ଭାରତର ସବୁଠାରୁ ବଡ଼ ଫିଲ୍ମ ହେବ। ଫିଲ୍ମର ପ୍ରି-ପ୍ରଡକ୍ସନର ପ୍ରସ୍ତୁତି ଚାଲିଛି। ୨୦୨୪ ଶେଷ କିମ୍ବା ୨୦୨୫ ଆରମ୍ଭରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଫିଲ୍ମରେ VFX ଉପରେ ବିଶ୍ୱ ସ୍ତରରେ କାମ କରାଯିବ। କହି ରଖୁଛୁ, ଫିରୋଜଙ୍କ ବାପା ଏଜି ନାଡିଆଡୱାଲା ୧୯୬୫ ମସିହାରେ ମହାଭାରତ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯେଉଁଥିରେ ପ୍ରଦୀପ କୁମାର ଓ ଦାରା ସିଂଙ୍କ ଭଳି ତାରକା ଥିଲେ।

ନିଜ ବାପାଙ୍କ ଦ୍ୱାରା ତିଆରି ହୋଇଥିବା ଚଳଚ୍ଚିତ୍ରର ଠିକ୍ ୬୦ ବର୍ଷ ପରେ ଫିରୋଜ ଦୁନିଆ ସାମ୍ନାରେ ପୁଣିଥରେ ସମାନ କାହାଣୀକୁ ନେଇକି ଆସୁଛନ୍ତି। ଫିଲ୍ମ ଡିସେମ୍ବର ୨୦୨୫ରେ ସିନେମାଘରେ ରିଲିଜ୍‌ ହେବାର ସମ୍ଭାବନା ରହିଛି। ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଇଂଲିଶ, ଥାଇ, ଜର୍ମାନ, ଫ୍ରେଞ୍ଚ, ଇଟାଲିୟନ, ରସିୟାନ ଭଳି ୧୫ଟି ବିଦେଶୀ ଭାଷାରେ ରିଲିଜ୍‌ ହେବ।