Odia News Portal

ଟ୍ରାଫିକ୍ ସିଗନାଲରେ ନିତାଙ୍କୁ ପ୍ରପୋଜ୍ କରିଥିଲେ ମୁକେଶ

ମୁମ୍ବାଇ () ଭାରତୀୟ ମହିଳା ବ୍ୟବସାୟୀ ତଥା ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ନିତା ଅମ୍ବାନୀଙ୍କର ଆଜି ୫୭ତମ ଜନ୍ମଦିନ। ଇଣ୍ଡଷ୍ଟ୍ରିଆଲିଷ୍ଟ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଇନ୍ଟରନ୍ୟାଶନାଲ୍ ସ୍କୁଲର ସଂସ୍ଥାପକ ଓ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଏନ୍ସର ମାଲିକାଣି। ନିତା ୧୯୬୪ ମସିହା ନଭେମ୍ବର ୧ ତାରିଖରେ ମୁମ୍ବାଇରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ବିବାହ କାହାଣୀ ମଧ୍ୟ କୌତାହଳମୟ।

ନିତା ଅମ୍ବାନୀ ନବରାତ୍ର ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧିରୁଭାଇ ଅମ୍ବାନୀ ଓ କୋକିଲାବେନ ମଧ୍ୟ ଆସିଥିଲେ। ତାଙ୍କୁ ନିତାଙ୍କ ନୃତ୍ୟ ବହୁତ ଭଲ ଲାଗିଥିଲା। ସେମାନେ କାର୍ଯ୍ୟକ୍ରମ ଆୟୋଜକଙ୍କୁ ନିତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଧିରୁଭାଇ ନିତାଙ୍କ ଘରକୁ ଫୋନ କରିଥିଲେ। ଏକ ଇଣ୍ଟରଭ୍ୟୁରେ ଏ ସମ୍ବନ୍ଧରେ ନିତା କହିଛନ୍ତି ଯେ ସେ ନିଜେ ଫୋନ ଉଠାଇଥିଲେ। ଫୋନରେ ଧିରୁଭାଇ ଯେତେବେଳେ କହିଥିଲେ ଯେ ସେ ଧିରୁଭାଇ ଅମ୍ବାନୀ କହୁଛନ୍ତି ନିତା ବିଶ୍ୱାସ କରିପାରିନଥିଲେ ଓ ରଙ୍ଗ ନମ୍ବର କହି ଫୋନ କାଟିଦେଇଥିଲେ। ସେ ପୁଣି ଫୋନ କଲେ ଓ ନିତା ପୁଣି ଫୋନ କାଟିଦେଇଥିଲେ। ତୃତୀୟଥର ଫୋନ ଆସିବାପରେ ନିତା ବିଶ୍ୱାସ କଲେ ଓ ଧିରୁଭାଇଙ୍କ ସହ କଥା ହୋଇଥିଲେ।

ମୁକେଶ ଅମ୍ବାନୀ ନିତାଙ୍କୁ ବାହାଘର ପାଇଁ ପ୍ରପୋଜ୍ କରିବା ଘଟଣା ମଧ୍ୟ ବହୁତ କୌତାହଳପୂର୍ଣ୍ଣ। ମୁକେଶ ଓ ନିତା କାରରେ ମୁମ୍ବାଇ ପେଡର୍ ରୋଡ୍ ଦେଇ ଯାଉଥିଲେ। ଏକ ଟ୍ରାଫିକ୍ ସିଗନାଲରେ କାର ଅଟକିଥିଲା। କାର୍ ଅଟକିବା ପରେ ମୁକେଶ ଅମ୍ବାନୀ ନିତାଙ୍କୁ ପଚାରିଥିଲେ, ‘ମୋତେ ବାହା ହେବ କି?’ ଏତିକିବେଳେ ସବୁଜ ସିଗନାଲ୍ ଆସିଥିଲା ଆଉ ଲୋକେ ପଛପଟୁ ହର୍ନ ତାଙ୍କୁ ଆଗକୁ ଯିବାକୁ କହିଥିଲେ। କିନ୍ତୁ ମୁକେଶ ଜିଦ୍ ଧରି ବସିଲେ ଯେ ଜବାବ୍ ନ ମିଳିବା ଯାଏଁ ସେ ଗାଡି ଚଲାଇବେ ନାହିଁ। ଏହାପରେ ନିତା ବାହାହେବା ପାଇଁ ହଁ ମାରିଦେଇଥିଲେ। ଏହାପରେ ମୁକେଶ ଅମ୍ବାନୀ ଗାଡି ଚଲାଇଥିଲେ ଓ ରାସ୍ତା ସଫା ହୋଇଥିଲା।