Odia News Portal

ଲୋକପ୍ରିୟ କଳାକାର ବିକ୍ରମଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ନେଲା ଆଉ ଜଣେ ବଲିଉଡ କଳାକାରଙ୍କ ଜୀବନ । ବଲିଉଡ ସିନେମା,ଛୋଟପରଦା ଓ ୱେବ ସିରିଜର ଲୋକପ୍ରିୟ କଳାକାର ବିକ୍ରମ କନୱରପାଲଙ୍କ ୫୨ବର୍ଷ ବୟସରେ ମୃତ୍ୟୁ ହୋଇଛି । ବିକ୍ରମ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକାର ଚଳଚିତ୍ର, ଧାରାବାହିକରେ ବିକ୍ରମ ଜଣେ ଦକ୍ଷ ସହଯୋଗୀ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ।

୨୦୦୩ ମସିହାରେ ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ କନୱରପାଲ ଅଭିନୟ ଆରମ୍ଭ କରିଥିଲେ। ସେ ପେଜ୍ ୩, ରକେଟ୍ ସିଂ, ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର ୨, ଟୁ ଷ୍ଟେଟ୍ସ ଏବଂ ଦି ଗାଜି ଆଟାକ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ୟେ ହେ ଚାହତେ’, ‘ସ୍ପେଶାଲ ଆଇପିଏସ’, ‘ଅଦାଲତ’, ‘ଦିଆ ଓର ବାତି ହମ୍’, ‘କ୍ରାଇମ ପେଟ୍ରୋଲ ଦସ୍ତକ’ ଭଳି ଟିଭି ସୋ’ରେ ମଧ୍ୟ ଅଭିନୟ କରିଥିଲେ ।