Odia News Portal

ପରଲୋକରେ ମହାଭାରତ ର ଭୀମ

ଲତାଙ୍କ ନିଧନ ଦୁଃଖରୁ ଦେଶବାସୀ ବାହାରି ନଥିବାବେଳେ ଏବେ ମନୋରଞ୍ଜନ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ମହାଭାରତର ଭୀମ । ପରଲୋକରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରବୀଣ କୁମାର ସୋବତି । ୭୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ପ୍ରବୀଣ କୁମାର । ସେ ଦୀର୍ଘଦିନ ଧରି ଅସୁସ୍ଥତା ଏବଂ ଆର୍ଥିକ ସଙ୍କଟ ସହ ଲଢ଼ୁଥିଲେ । ଶେଷରେ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର ଭୀମ ।
ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ନିଜର ଶକ୍ତିଶାଳୀ ଶରୀର ଆଧାରରେ କ୍ରୀଡାବିତ୍ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖେଳାଳି ଭାବରେ କ୍ୟାରିୟର ଆରମ୍ଭ କରିବା ପରେ ପ୍ରବୀଣ କୁମାର ବଲିଉଡକୁ ମୁହାଁଇଥିଲେ । ସେ ବଲିଉଡରେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । କିନ୍ତୁ ବି. ଆର ଚୋପ୍ରାଙ୍କ ମହାଭାରତ ତାଙ୍କୁ ସର୍ବାଧିକ ମାନ୍ୟତା ଦେଇଥିଲା । ଯେଉଁଥିରେ ସେ ଭୀମ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ତାଙ୍କୁ ପୂରା ଭାରତରେ ପ୍ରସିଦ୍ଧ କରିଥିଲା । ଶକ୍ତିଶାଳୀ ଶରୀର ହେତୁ ପ୍ରବୀଣ କୁମାରଙ୍କୁ ଭୀମ ଭୂମିକାରେ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।
ପ୍ରବୀଣ କୁମାର ସୋବତୀ ତାଙ୍କ ଅଭିନୟ ଜୀବନରେ ଅମିତାଭ ବଚ୍ଚନ, ଜିତେନ୍ଦ୍ରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିଛନ୍ତି । ପ୍ରବୀଣ କୁମାର ୧୯୮୧ ମସିହାରେ ରାଧା ଚଳଚ୍ଚିତ୍ରରୁ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ଆସିଥିବା ’ମେରୀ ଆଓ୍ୱାଜ୍ ସୁନୋ’ରେ ପ୍ରବୀଣ କୁମାର ସୋବତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜିତେନ୍ଦ୍ରଙ୍କ ସହ କାମ କରିଥିଲେ । ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଫିଲ୍ମ ’ଶେହେନ୍ସା’ରେ ମଧ୍ୟ ଅଭିନୟ କରିଥିଲେ ପ୍ରବୀଣ କୁମାର ।
ପ୍ରବୀଣ କୁମାର ସୋବତୀ ଜଣେ ଭଲ ଅଭିନେତା ସହ ଜଣେ ଭଲ ଡିସ୍କସ୍ ଥ୍ରୋ ଆଥଲେଟ ମଧ୍ୟ ଥିଲେ । ସେ କ୍ରୀଡାକ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଅନେକ ଗର୍ବ ଆଣିଛନ୍ତି । ସେ ଏସିଆନ ଗେମ୍ସରେ ଚାରି ଥର ପଦକ ବିଜେତା ରହିଛନ୍ତି । ୧୯୬୬ରେ ହୋଇଥିବା ଏସିଆନ ଗେମ୍ସରେ ଡିସ୍କସ୍ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ହାମର ଥ୍ରୋ’ରେ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସେହିପରି ୧୯୭୦ ଏସିଆନ ଗେମ୍ସରେ ଡିସ୍କସ୍ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ୧୯୭୪ ଏସିଆନ ଗେମ୍ସରେ ସିଲିଭର ମେଡାଲ ହାସଲ କରିଛନ୍ତି । ସେହିପରି ୧୯୬୬ରେ କିଙ୍ଗଷ୍ଟୋନରେ ହୋଇଥିବା କମନଓ୍ୱେଲ୍ଥ ଗେମ୍ସରେ ସିଲିଭର ମେଡାଲ ହାସଲ କରିଥିଲେ ପ୍ରବୀଣ କୁମାର । ଏହା ବ୍ୟତୀତ ସେ ଅଲିମ୍ପିକ ଗେମ୍ସରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୬୮ ମେକ୍ସିକୋ ଓ ୧୯୭୨ ମ୍ୟୁନିଚ୍ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କ୍ରୀଡ଼ାରେ ସଫଳ କ୍ୟାରିୟର ପରେ ପ୍ରବୀଣ କୁମାର ବଲିଉଡରେ ପାଦ ଥାପିଥିଲେ ।