Odia News Portal

ବଲିଉଡର ‘ବିଷକନ୍ୟା’ରିୟା

ମୁମ୍ବାଇ () ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଆସିବାରେ ଲାଗିଛି । ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି ହୋଇଛି । ଅପରପକ୍ଷରେ ସୁଶାନ୍ତ ସିଂହଙ୍କ ପିତା କେ.କେ.ସିଂହଙ୍କ ବୟାନ ଓ ଲିଖିତ ଅଭିଯୋଗ ଆଧାରରେ ରିୟା ଚକ୍ରବର୍ତ୍ତୀ ସମେତ ୬ ଜଣଙ୍କ ବିରୋଧରେ ପାଟନା ରାଜୀବନଗର ଥାନାରେ ଏଫଆଇଆର ରୁଜ୍ଜୁ ହୋଇଛି । ମାମଲାରେ ବିହାର ସରକାରଙ୍କ ଯୋଜନା ଓ ବିକାଶ ମନ୍ତ୍ରୀ ମହେଶ୍ୱର ହଜାରୀ ମଧ୍ୟ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ରିୟା ଚକ୍ରବର୍ତ୍ତୀ କେବଳ ସୁପାରୀ କିଲର ନୁହେଁ ବରଂ ବଲିଉଡର ବିଷକନ୍ୟା ମଧ୍ୟ । କିଏ ଜାଣିଲା ସେ ଆଗକୁ ଆହୁରି କେତେଜଣଙ୍କୁ ନିଜ ମହତ୍ୱାକାଂକ୍ଷା ପୁରା କରିବା ଚକ୍କରରେ ହତ୍ୟା କରିବ । ଏହିଭଳି ସୁପାରୀ କିଲର ବିରୋଧରେ ଶୀଘ୍ର କାର୍ୟ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ କହିଛନ୍ତି । ହଜାରୀ କହିଛନ୍ତି, ରିୟା ଚକ୍ରବର୍ତ୍ତୀଙ୍କୁ ବଞ୍ଚାଇବା ପାଇଁ ବଲିଉଡର ଏକ ଖାସ ଗ୍ୟାଙ୍ଗ ଓ ମୁମ୍ବାଇ ପୋଲିସ୍ର କିଛି ଲୋକ ଲାଗିଛନ୍ତି । ଏହିମାନଙ୍କ ପାଇଁ ରିୟା ସୁପାରୀ କିଲର ଭଳି କାମ କରୁଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସତ୍ୟ ପୋଲିସ ଖୋଜି ପାରିବନାହିଁ । ସେଥିପାଇଁ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ସେପଟେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ନିଜ ଗମ୍ଭୀର ମନୋଭାବ ପାଇଁ ଜଣା ଯାଆନ୍ତି। ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମଧ୍ୟ ସ୍ବାମୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଓକିଲ ନିଯୁକ୍ତ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିବା ଯାଏଁ ସ୍ବାମୀ ସୁଶାନ୍ତଙ୍କ ମାମଲାରେ ଖାସ୍ ଜୋର ଦେଇଛନ୍ତି। ସେ ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦାବି କରିଛନ୍ତି।

ଏବେ ସୁବ୍ରମଣ୍ୟମ ସ୍ବାମୀ ସୋସିଆଲ୍ ମିଡିଆରେ ବଡ଼ ବୟାନ ଦେଇଛନ୍ତି। ସେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ହତ୍ୟା କହିଛନ୍ତି। ସେ ଏଥିପାଇଁ ୨୬ଟି ବଡ଼ କାରଣ କହିଛନ୍ତି। ସ୍ବାମୀଙ୍କ ମୁତାବକ ସୁଶାନ୍ତଙ୍କ ରୁମରୁ ଆଣ୍ଟି ଡିପ୍ରେସନ ଔଷଧ ମିଳିଛି ଯାହା କେହି ହୁଏତ ସେଠାରେ ରଖି ଦେଇପାରେ। ସେ ଫାଶୀ ଦେବା ପାଇଁ ବ୍ୟବହାର ହୋଇଥିବା ପୋଷାକ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ସ୍ବାମୀଙ୍କ କହିବା ଅନୁସାରେ ସୁଶାନ୍ତଙ୍କ ବେକରୁ ମିଳିଥିବା ଦାଗ ବେଲ୍ଟ ଭଳି ଜିନିଷରୁ ଲାଗିଛି। କୁହାଯାଇଥିଲା ଯେ ସୁଶାନ୍ତ ଜୁନ୍ ୧୪ତାରିଖ ସକାଳେ ଭିଡିଓ ଗେମ୍ ଖେଳୁଥିଲେ। ସ୍ବାମୀଙ୍କ ମତରେ ଯଦି କେହି ବ୍ୟକ୍ତି ମାନସିକ ଅବସାଦରେ ଥିବ ତେବେ ସେ ଏପରି ଭିଡିଓ ଗେମ୍ ଖେଳିବ ନାହିଁ। କୌଣସି ପ୍ରକାର ସୁଇସାଇଡ ନୋଟ୍ ନମିଳିବା ମଧ୍ୟ ଆଶ୍ଚର୍ୟ୍ୟର କଥା। ତେଣୁ ସେ ଏହାକୁ ହତ୍ୟା ବୋଲି କହୁଛନ୍ତି। ସେ ଆହୁରି ମଧ୍ୟ ଅନେକ ପ୍ରକାରର ଦାବି ପ୍ରକାଶ କରିଛନ୍ତି।