Odia News Portal

ଯୋଗାଭ୍ୟାସ ଦ୍ୱାରା ଦୂରହେବ କିଡନୀ ସମସ୍ୟା

ଭୁବନେଶ୍ୱର: କିଡନୀ ଜନିତ ରୋଗ ବର୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି । ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ଗୁରୁବାର ଆୟୋଜିତ ବିଶ୍ୱ କିଡନୀ ଦିବସ ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ସୁପରିଟେଣ୍ଡେନଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ ଜଟିଳ କିଡନୀ ରୋଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି ।

ସମ୍ ହସ୍ପିଟାଲ୍ର ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ସୁରେନ୍ ଦାସ କହି ଥିଲେ ଯେ ଦେଶରେ ପ୍ରତ୍ୟେକ ବର୍ଷ ପ୍ରାୟ୨ ଲକ୍ଷ ଲୋକ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ରୋଗୀଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରାୟ ୨୫ ହଜାର ରୋଗୀଙ୍କର କିଡନୀ ଡାୟଲିସିସ୍ ଓ ପ୍ରତ୍ୟାରୋପଣର ଆବଶ୍ୟକତା ପଡ଼ଛି । ତେବେ ଜୀବନଶୈଳୀରେ ପରିବର୍ତନ, ବ୍ୟାୟାମ ଓ ଯୋଗ ଅଭ୍ୟାସ କରିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ୱାରା ଏହି ରୋଗ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ ।
ଆଗାମୀ ୨୦୪୦ ସୁଦ୍ଧା ବିଶ୍ୱରେ କିଡନୀ ଜନିତ ସମସ୍ୟା ୫ମ ରୋଗ ଭାବେ ମୃତ୍ୟୁର ମୁଖ୍ୟ କାରଣ ପାଲଟିବ ବୋଲି କହିବା ସହ ସୁସ୍ଥ ଜୀବନଶୈଳୀ ଏବଂ ଧୂମ୍ରପାନକୁ ପରିତ୍ୟାଗ କଲେ ହିଁ ଏହି ସମସ୍ୟାରୁ ମୁକୁଳି ହେବ ବୋଲି ନେଫ୍ରୋଲୋଜି ବିଭାଗର ପ୍ରଫେସର ତାପସ ରଞ୍ଜନ ବେହେରା କହିଥିଲେ ।

ପ୍ରାୟ ୭୦ ରୁ ୮୦ ପ୍ରତିଶତ କିଡନୀ ଜନିତ ରୋଗୀଙ୍କ ନିକଟରେ ପ୍ରାଥମିକ ସ୍ତରରେ ଲକ୍ଷଣ ଦେଖାଯାଇ ନଥାଏ । ତେଣୁ ରୋଗ ଚିହ୍ନଟ ପାଇଁ ନିୟମିତ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବ ପ୍ରସାଦ କର କହି ଥିଲେ ।

ସମ୍ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ମାସକୁ ପ୍ରାୟ ୧୪୦୦ କିଡନୀ ରୋଗୀଙ୍କର ଡାଏଲିସିସ୍ କରାଯାଉଥିବା ବେଳେ ରେନାଲ୍ ବାୟୋପ୍ସିର ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏ ନେଇ ସେ ସମଗ୍ର ବିଭାଗକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ନର୍ସିଂ ସୁପରିନଟେଣ୍ଡେନଟ ଶ୍ରୀମତୀ ମିନତୀ ମିଶ୍ର, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଡାକ୍ତର ସମୀର ସାମଲ୍, ନେଫ୍ରୋ ପାଥୋଲୋଜି ବିଭାଗର ଡାକ୍ତର ନିବେଦିତା ସାହୁ ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ରାହୁଲ୍ କାନୁନଗୋ ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ବିଶ୍ୱ ରଞ୍ଜନ ମହାନ୍ତି କାର୍ଯ୍ୟକ୍ର ମ ପରିଚାଳନା କରିଥିବା ବେଳେ ଡାକ୍ତର ବି ଶ୍ୱଜିତ ମହାପାତ୍ର ସଂଯୋଜନା
କରିଥିଲେ । ଏହି ଅବସରରେ ବିଭାଗୀୟ କର୍ମଚାରୀ ମାନଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା ।