Odia News Portal

ଓଜନ କମାଇପାରେ କଞ୍ଚା ଲଙ୍କା

ଓଜନ କମାଇବା ପାଇଁ ଲୋକେ ଅନେକ ଟ୍ରେଣ୍ଡ ଆପଣାଉଛନ୍ତି । ବିଭିନ୍ନ ପ୍ରକାର ଖାଦ୍ୟ ସହିତ ବ୍ୟାୟାମ କରୁଛନ୍ତି । ପ୍ରାକୃତିକ ଉପଚାର ମଧ୍ୟ କରୁଛନ୍ତି । କିନ୍ତୁ କଞ୍ଚା ଲଙ୍କା ଓଜନ କମାଇପାରେ ବୋଲି ହୁଏତ ଅନେକ ଜାଣିନଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ।

ଏ ବିଷୟରେ ବିଶେଷଜ୍ଞମାନେ କହନ୍ତି, କଞ୍ଚା ଲଙ୍କାରେ ୧୧ ପ୍ରତିଶତ ଭିଟାମିନ୍‌ ଏ, ୧୮୨ ପ୍ରତିଶତ ଭିଟାମିନ୍‌ ସି ଓ ୩ ପ୍ରତିଶତ ଲୌହସାର ରହିଛି । ଏସବୁ ଭରପୁର ତନ୍ତୁଯୁକ୍ତ ଏବଂ କୋଲେଷ୍ଟରଲ୍‌ରୁ ସୁରକ୍ଷା ଦିଏ । କଞ୍ଚା ଲଙ୍କାରେ ଥିବା ପୋଷକ ତତ୍ତ୍ୱ ଆଖି, ତ୍ୱଚା ଓ ପ୍ରତିରକ୍ଷା ପ୍ରଣାଳୀ ପାଇଁ ବହୁତ ହିତକର । ଲଙ୍କାରେ ଏକ ସକ୍ରିୟ ଯୌଗିକ ରହିଛି, ଯାହାର ନା- କ୍ୟାପ୍‌ସାଇସିନ୍‌ । ନାକ ଓ ସାଇନସ୍‌ ଉପରେ ଏହା ଫଳପ୍ରଦ ପ୍ରଭାବ ପକାଇଥାଏ । ଅନେକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି, କ୍ୟାପ୍‌ସାଇସିନ୍‌ କଞ୍ଚା ଲଙ୍କାରେ ଥିବା ଏକ ପ୍ରମୁଖ ସକ୍ରିୟ ଯୌଗିକ, ଯାହା ଓଜନ ହ୍ରାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । କ୍ଷୁଧା ଉପରେ ଓ ବ୍ରାଉନ୍‌ ଆଡିପୋଜ୍‌ ତନ୍ତୁ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା ଶରୀର ତାପମାତ୍ରା ବଜାୟ ରଖିବାକୁ ଥର୍ମୋଜେନେସିସ୍‌କୁ ନିୟମିତ କରେ ।

ଅଧ୍ୟୟନରୁ ଜଣାପଡ଼ିଲା, ଓଜନ ନିୟନ୍ତ୍ରଣରେ କ୍ୟାପ୍‌ସାଇସିନ୍‌ ହିତକର ପ୍ରଭାବ ପକାଇପାରେ । ଶକ୍ତି ଗ୍ରହଣକୁ ହ୍ରାସ କରେ ଏବଂ ବ୍ରାଉନ୍‌ ଆଡିପୋଜ୍‌ ତନ୍ତୁର କାର୍ଯ୍ୟକଳାପକୁ ସକ୍ରିୟ କରେ । ରିପୋର୍ଟ ଅନୁସାରେ, ବ୍ରାଉନ୍‌ ଫ୍ୟାଟ୍‌ ବା ବ୍ରାଉନ୍‌ ଆଡିପୋଜ୍‌ ତନ୍ତୁ ଏକ ସ୍ୱତନ୍ତ୍ର ପ୍ରକାର ଚର୍ବି, ଯାହା ଥଣ୍ଡା ତାପମାତ୍ରାରେ ସକ୍ରିୟ ହୋଇଥାଏ । ଏହାର ମୁଖ୍ୟ ଭୂମିକା ହେଉଛି ଶରୀର ତାପମାତ୍ରାକୁ ବଜାୟ ରଖିବା ପାଇଁ ଏହା ଉତ୍ତାପ ଉତ୍ପନ୍ନ କରେ । ଏଭଳି ଭାବେ ଏହା କ୍ୟାଲୋରି ଖର୍ଚ୍ଚ କରିଥାଏ ।

ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ର ଅଧ୍ୟୟନ ଅନୁସାରେ, ନିୟମିତ କଞ୍ଚା ଲଙ୍କା ଖାଉଥିବା ବ୍ୟକ୍ତି ଦୀର୍ଘାୟୁ ହୋଇପାରନ୍ତି । ସେମାନଙ୍କର ହୃଦ୍‌ରୋଗ ବା କର୍କଟ ଜନିତ ମୃତ୍ୟୁ ଆଶଙ୍କା ମଧ୍ୟ ହ୍ରାସ ହୋଇପାରେ । ଅଧ୍ୟୟନ ଅନୁସାରେ, ଯେଉଁମାନେ ସପ୍ତାହରେ ୪ରୁ ଅଧିକ ଥର କଞ୍ଚା ଲଙ୍କା ଖାଇଥିଲେ³ କେବେ କଞ୍ଚା ଲଙ୍କା ଖାଉନଥିବା କିମ୍ବା ବହୁତ କମ୍‌ ଖାଉଥିବା ଲୋକଙ୍କ ତୁଳନାରେ ସେମାନଙ୍କ ହୃଦ୍‌ରୋଗ ସମେତ ମୃତ୍ୟୁ ହାରରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହୋଇଥିଲା